ଦୁର୍ଘଟଣା : ରାସ୍ତାରେ ମୃତ୍ୟୁବରଣ କରୁଛନ୍ତି ୭୦ ପ୍ରତିଶତ ଯୁବପିଢ଼ି

ଭୁବନେଶ୍ୱର: ଗତ ୧୦ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ମରିଛନ୍ତି ୩୦ ହଜାର । ତେବେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭୦ପ୍ରତିଶତ ହେଉଛନ୍ତି ଯୁବପିଢ଼ି । ଯେଉଁମାନଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଗୁଜୁରାଣ ମେଣ୍ଟିବା କାଠିକର ପାଠ ହୋଇପଡ଼ୁଛି । କେବଳ ଆମ ରାଜ୍ୟ ନୁହେଁ ସମସ୍ତ ଦେଶରେ ପ୍ରତି ବର୍ଷ ସଡ଼କ ଦୁର୍ଘଟଣାରେ ପାଖାପାଖି ଦେଢ଼ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି ବୋଲି ରାଜ୍ୟ ପରିବହନ କମିଶନର ତଥା ସଚିବ ଡ.ପ୍ରମୋଦ କୁମାର ମେହେର୍ଦ୍ଧା ସୂଚନା ଦେଇଛନ୍ତି । ତେଣୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।
ଛାତ୍ରଛାତ୍ରୀମାନଙ୍କ ସଡ଼କ ସୁରକ୍ଷା ବାବଦରେ ସଚେତନ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ, ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସଚିବ ଓ ଦକ୍ଷତା ବିକାଶ ତଥା ବୈଷୟିକ ବିଭାଗର ସଚିବଙ୍କୁ ଚିଠି ଲେଖିଛନ୍ତି ଡ.ମେହେର୍ଦ୍ଧା । ସାରା ଦେଶରେ ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ସେହିପରି ରାଜ୍ୟରେ ମଧ୍ୟ ପାଳନ କରିବାକୁ ସେ ଅନୁରୋଧ କରିଛନ୍ତି । ଏପରିକି ପ୍ରତି ଜିଲ୍ଲାର ସଡ଼କ ସୁରକ୍ଷା ଅଧିକାରୀମାନଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ସ୍ଲୋଗାନ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା, ଶୋଭାଯାତ୍ରା ଆଦି ଆୟୋଜନ କରିବାକୁ କୁହାଯାଇଛି । ଅପରପକ୍ଷେ ବିଦ୍ୟାଳୟକୁ ଆସିବା ବେଳେ ଛାତ୍ରଛାତ୍ରୀମାନେ ଯେମିତି ଗାଡ଼ି ଚଲାଇ ନ ଆସିବେ ତାହାକୁ ଧ୍ୟାନ ଦେବାକୁ କୁହାଯାଇଛି । ଯଦି କେହି କଲେଜକୁ ଗାଡ଼ି ଚଲେଇ ଆସିବେ ତାହା ହେଲେ ତାଙ୍କ ନିକଟରେ ବୈଧ ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ । ସେହିପରି ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବସ୍ ପଲିସିକୁ ଲାଗୁ କରିବାକୁ ଡ. ମେହେର୍ଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ