ଅପେରା ପରିବେଷଣ ଅନୁମତି ପ୍ରଦାନ ନକରିବାକୁ ଜିଲ୍ଲାପାଳଙ୍କୁ ନିବେଦନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଂଚାୟତର ଅଧିବାସୀମାନେ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ ଅରଖକୁଦର ମା’ଦକ୍ଷୀଣକାଳୀ ଆଂଚଳିକ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଅରଖକୁଦ ପ୍ରାଥମିକ ବିଦ୍ୟାଳୟ ଖେଳପଡିଆରେ ଆଗାମୀ ମାଘ ମେଳା ଅବସରରେ ରାଜଧାନୀ ଅପେରା ଟିକଟ ସେଲ ଯାତ୍ରା ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ସେଥି ନିମନ୍ତେ ସଂପୃକ୍ତ ପରିଷଦ ପକ୍ଷରୁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେବା ପାଇଁ ପ୍ରୟାସ କରାଯାଉଛି । କିନ୍ତୁ ସେହି ବିଦ୍ୟାଳୟ ଖେଳପଡିଆରେ ଏଭଳି କୈାଣସି ଯାତ୍ରା ପରିବେଷଣ ନକରିବାକୁ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ସ୍ଥାନରେ ଯାତ୍ରା ପରିବେଷଣ ପାଇଁ କୈାଣସି ଅନୁମତି ପ୍ରଦାନ ନକରିବାକୁ ପଂଚାୟତବାସୀଙ୍କ ପକ୍ଷରୁ କୈଳାସ ଚନ୍ଦ୍ର ଜେନା, କାର୍ତ୍ତିକ ସେଠୀ, ରାଜନାରାୟଣ ମହାନ୍ତି, ସତ୍ୟାନନ୍ଦ ନାୟକ, ହୃଷିକେଶ ତ୍ରିପାଠୀ, ଅରୁନ୍ଧତି ରାଉତ, ଅମିତ କୁମାର ଦାସ, ନିରଞ୍ଜନ ପଣ୍ଡା, ବିଶ୍ୱନାଥ ସାହୁ, ସୁଧାଂଶୁ ଭୂଷଣ ରାଉତ, ସୁରେନ୍ଦ୍ର ନାଥ ରାଉତ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ହାଇକୋର୍ଟଙ୍କ ନିର୍ଦେଶନାମା ପ୍ରଦାନ କରିବା ସହ ଦାବି କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଗରଦପୁର ତହସିଲଦାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।


