ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ
ହିଞ୍ଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଗୁରୁବାର ଉଦଯାପିତ ହୋଇଯାଇଛି । ଉଦଯାପନି ଉତ୍ସବରେ ବିଦ୍ୟାଳୟ ପରିସରରେ ଏକ ସଭାରେ ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭ ଉଦଘାଟନ କରିବା ସହ ମେଡ଼ାଲକୁ ଲକ୍ଷ୍ୟ ନରଖି ପ୍ରତିଯୋଗୀ ମାନେ ଖେଳୁଆଡ଼ ମନୋଭାବ ନେଇ ଖେଳିବା ଉଚିତ୍ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ଯୋଗ ଦେଇ ଉଭୟ ମାନସିକ ଓ ଶାରିରୀକ ସୁସ୍ଥତା ସକାଶେ କ୍ରୀଡ଼ା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବରିଷ୍ଠ ବିଭାଗ ବାଳିକା ବିଭାଗରେ ନନ୍ଦିନି ମୁନି ଓ ବାଳକ ବିଭାଗରେ ଗୋପିନାଥ ପ୍ରଧାନ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିବା ବେଳେ କନିଷ୍ଠ ବାଳିକା ବିଭାଗରେ ମିରା କୁମାରୀ ସାହୁ ଓ ବାଳକ ବିଭାଗରେ ଟିଟୁ ଗମାଙ୍ଗୋ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟତ୍ରୀ ପ୍ରଜ୍ଞା ପାଣିଗ୍ରାହୀ, ଶିକ୍ଷକ ବଟକୃଷ୍ଣ ପଣ୍ଡା,ବାଳକୃଷ୍ଣପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଅଶୋକ ପାଠି ଓ ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସନ୍ତୋଷ ସାମଲ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ । ଆୟୋଜିତ ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ବୃନ୍ଦ, ବହୁ ଅଭିଭାବକ, ଅଭିଭାବିକାଙ୍କ ସମେତ ବହୁ ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲେ ।