କକ୍ଷପଥରେ ଅବସ୍ଥାନ କଲା ଜିସାଟ୍-୩୦
ନୂଆଦିଲ୍ଲୀ: ଫ୍ରେଞ୍ଚ୍ ଗିଆନାସ୍ଥିତ ‘ଏରିଏନ୍-୫ ଭିଏ-୨୫୧’ ଦ୍ୱାରା ଭାରତର ଟେଲିଯୋଗାଯୋଗ ସାଟେଲାଇଟ୍ ‘ଜିସାଟ୍-୩୦’ କୁ ଶୁକ୍ରବାର ଉତ୍କ୍ଷେପଣ କରାଯାଇ ସଫଳତାର ସହ ‘ଜିଓସିକ୍ରୋନସ୍ ଟ୍ରାନ୍ସ୍ଫର୍ ଅର୍ବିଟ୍’ରେ (ଜିଟିଓ) ବା କକ୍ଷପଥରେ ଅବସ୍ଥାପନ କରାଯାଇଛି । ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ (ଇସ୍ରୋ) ନିର୍ମାଣ କରିଥିବା ‘ଜିସାଟ୍-୩୦’ ଜିଓଷ୍ଟେସନାରି କକ୍ଷପଥରୁ ‘ସି’ ଏବଂ ‘କୁ’ ବ୍ୟାଣ୍ଡ୍କୁ ଯୋଗାଯୋଗ ସେବା ଯୋଗାଇବ । ଦକ୍ଷିଣ ଆମେରିକାର ଉତ୍ତରପୂର୍ବ ଉପକୂଳରେ ଅବସ୍ଥିତ ଫରାସୀ ଅଞ୍ଚଳ କୌରୁ ଠାରେ ଥିବା ଏରିଏନ୍ ଲଞ୍ଚ୍ କମ୍ପ୍ଲେକ୍ସରୁ ରାତି ୨: ୩୫ ମିନିଟ୍ରେ ଉତ୍କ୍ଷେପିତ ହୋଇ ୩୮ ମିନିଟ୍ ଉଡ଼ାଣ ପରେ ‘ଜିସାଟ୍-୩୦’ ତା’ର କକ୍ଷପଥରେ ଅବସ୍ଥାପିତ ହୋଇଛି । ଉତ୍କ୍ଷେପଣ ଅଭିଯାନ ସଫଳ ହେବା ପରେ କୌରୁରେ ଉପସ୍ଥିତ ଥିବା ‘ଇସ୍ରୋ’ର ‘ୟୁ. ଆର୍. ରାଓ ସାଟେଲାଇଟ୍ ସେଣ୍ଟର୍’ର ନିର୍ଦେଶକ ପି. କୁହ୍ନିକୃଷ୍ଣନ୍ ‘ଇସ୍ରୋ’ କମ୍ୟୁନିଟି ଏବଂ ‘ଏରିଏନ୍ସ୍ପେସ୍ ଟିମ୍’କୁ ଅଭିନନ୍ଦନ ଜଣାଇଥିଲେ । ଭାରତ ଏବଂ ଏହାର ଦ୍ୱୀପାଞ୍ଚଳ ସହ ଉପସାଗରୀୟ ଦେଶ ସମେତ ବହୁ ସଂଖ୍ୟକ ଏସୀୟ ଏବଂ ଅଷ୍ଟ୍ରେଲୀୟ ଦେଶରେ ମଧ୍ୟ ଏହା ସେବା ଯୋଗାଇ ପାରିବ। ଏହା ୧୫ ବର୍ଷରୁ ଅଧିକ କାଳ କାର୍ୟ୍ୟକ୍ଷମ ରହିବ ବୋଲି ଇସ୍ରୋ କହିଛି ।


