ନ୍ୟାୟ ପାଇଲେ ଅଭିନେତ୍ରୀ ଜାୟରା ଓ୍ଵସୀମ
ନୂଆଦିଲ୍ଲୀ : ଭାରତରେ କେବଳ ସାଧାରଣ ମହିଳାମାନଙ୍କୁ ନୁହେଁ ବରଂ ବଲିଉଡ୍ର ଅଭିନେତ୍ରୀଙ୍କୁ ମଧ୍ୟ ଅନେକ ଥର ମଧ୍ୟ ପବ୍ଲିକ୍ଙ୍କ ପାଖରେ ଅସଦାଚରଣର ସାମ୍ନା କରିବାକୁ ପଡିଥାଏ। ଏଭଳି ଏକ ଘଟଣା ପାଖାପାଖି ୨ ବର୍ଷ ପୂର୍ବରୁ ୨୦୧୭ ମସିହାରେ ସାମ୍ନାକୁ ଆସିଥିଲା। ଯେଉଁଥିରେ ବଲିଉଡର ପୂର୍ବ ଅଭିନେତ୍ରୀ ଜାୟରା ଓ୍ଵସୀମଙ୍କ ସହ ବିମାନରେ ଭିକାଶ ସଚଦେଓ୍ଵା ନାମକ ଜଣେ ବ୍ୟକ୍ତି ଅସଦାଚରଣ କରିଥିଲେ।
ସୂଚନା ମୁତାବକ ବର୍ତ୍ତମାନ ୨ ବର୍ଷ ପରେ ଏହି ଅଭିନେତ୍ରୀଙ୍କୁ ନ୍ୟାୟ ମିଳିଛି ଏବଂ କୋର୍ଟ ଭିକାଶଙ୍କୁ ୩ ବର୍ଷ ଦଣ୍ଡ ବିଧାନ କରିଛନ୍ତି। କେବଳ ଏତିକି ନୁହେଁ ପୋସ୍କୋ ଆକ୍ଟ ସେକ୍ସନ ୮ ଏବଂ ଆଇପିସିର ୩୫୪ ଧାରା ଜରିଆରେ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରିବା ସହ ୨୫ ହଜାର ୫୦୦ଟଙ୍କା ଜରିମାନା ଦେବାର ଆଦେଶ କରିଛନ୍ତି। ଅଭିଯୁକ୍ତ ଓକିଲଙ୍କ କହିବାନୁଯାୟୀ ଭିକାଶଙ୍କ ପାଇଁ ତାଙ୍କ ଘର ଚଳେ ଏବଂ ଏହା ପୂର୍ବରୁ ତାଙ୍କ ଉପରେ କୌଣସି କ୍ରିମିନାଲ କେସ୍ ନାହିଁ। ଏହିକାରଣରୁ ତାଙ୍କୁ କମ୍ ସଜା ଦିଆଯାଉ। କିନ୍ତୁ କୋର୍ଟ ଭିକାଶ ସଚଦେଓ୍ଵାଙ୍କ ଉପରେ କୌଣସି ଦୟାଭାବ ଦେଖାଇନାହିଁ।
ସୂଚନା ଯୋଗ୍ୟ ଯେ, ୨୦୧୭ରେ ଯେତେବେଳେ ଅଭିନେତ୍ରୀ ଦିଲ୍ଲୀରୁ ମୁମ୍ବାଇ ଯାଉଥିଲେ ସେହି ସମୟରେ ଭିକାଶ ବିମାନ ଭିତରେ ତାଙ୍କ ସହ ଅସଦାଚରଣ କରିଥିଲେ। ଯାହା ବିଷୟରେ ନିଜେ ଜାୟରା ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସୂଚନା ଦେଇଥିଲେ। ଜାୟରାଙ୍କ କହିବାନୁଯାୟୀ ଭିକାଶ ତାଙ୍କ ପଛ ସିଟ୍ ରେ ବସି ତାଙ୍କ ସହ ଖରାପ ବ୍ୟବହାର କରୁଥିଲେ। ସେ ଫ୍ଲାଇଟ୍ କ୍ରୁ ମେମ୍ବର୍ସଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସାହାଯ୍ୟ ମିଳିନଥିଲା। ଶେଷରେ ଜାୟରା ନିଜେ ଏଫଆଇଆର ଜାରି କରିଥିଲେ। ଭିକାଶଙ୍କୁ ପୋସ୍କୋ ଆକ୍ଟ ଜରିଆରେ ଦଣ୍ଡିତ କରାଯାଇଛି କାରଣ ଏହି ଘଟଣା ସମୟରେ ଅଭିନେତ୍ରୀଙ୍କୁ ୧୭ ବର୍ଷ ବୟସ ହୋଇଥିଲା।


