ଜାନୁଆରୀ ୨୦ରୁ କୃଷି ଓଡିଶା
ଭୁବନେଶ୍ବର: ଜାନୁଆରୀ ୨୦ତାରିଖରୁ କୃଷି ଓଡ଼ିଶା-୨୦୨୦ ଅନୁଷ୍ଠିତ ହେବକୁ ଯାଉଛି। ଜାନୁଆରୀ ୨୦ରୁ ଭୁବନେଶ୍ୱରର ଜନତା ମଇଦାନରେ କୃଷି ଓଡ଼ିଶା-୨୦୨୦ ଆରମ୍ଭ ହୋଇ ୨୪ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ଏଥିରେ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଫିକି ସହଯୋଗିତାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ଓଡ଼ିଶା ଆୟୋଜନ କରାଯାଉଛି। ଚଳିତ ବର୍ଷ କୃଷି ଓଡ଼ିଶାରେ ୨୨୮ଟି ଷ୍ଟଲ ରହିବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ଟି କମ୍ପାନି ଭାଗ ନେବେ। ଏହି ଷ୍ଟଲଗୁଡ଼ିକରେ କୃଷି ଓ କୃଷକଙ୍କ ସଶକ୍ତିକରଣର ଚିତ୍ର ଦେଖିବାକୁ ମିଳିବ।
କୃଷିକ୍ଷେତ୍ର ଉପଯୋଗୀ ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନାଚକ୍ର ଆୟୋଜନ କରାଯିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।