ଆଉ ୪ ଦିନ ଘନ କୁହୁଡ଼ି
ଭୁବନେଶ୍ୱର: ଶୀତ କମିଛି ହେଲେ କୁହୁଡ଼ି ଡରାଇବା ଆରମ୍ଭ କରିଛି । ସମଗ୍ର ଓଡ଼ିଶା ଏବେ ଘନ କୁହୁଡ଼ି ବଳୟରେ ରହିଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୁହୁଡ଼ିର ଚାଦର ତଳେ ରହିବ ଅର୍ଦ୍ଧାଧିକ ଓଡ଼ିଶା । ୨୨ ତାରିଖ ପର୍ଯ୍ୟନ୍ତ ୧୫ ରୁ ଅଧିକ ସହର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ ଏବଂ ଶୀତ କମ ରହିବ । କିନ୍ତୁ ୪ ରୁ ୫ ଦିନ ପର୍ଯ୍ୟନ୍ତ ପ୍ରବଳ କୁହୁଡ଼ି ହେବ । ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼, ଅନୁଗୋଳ, ଢେ଼ଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି, ସୋନପୁର, ସମ୍ବଲପୁର, ଦେବଗଡ଼ ଆଦି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଶୁକ୍ରବାର ଭୁବନେଶ୍ୱର ସମେତ ଖୋର୍ଦ୍ଧା, ଭଦ୍ରକ, ପୁରୀ, ପାରାଦ୍ୱୀପ, ଜଗତସିଂହପୁର, ଟିଟିଲାଗଡ଼, ସୁନ୍ଦରଗଡ଼, ଫୁଲବାଣୀ, ମାଲକାନଗିରି, କଟକ ଓ ଅନୁଗୋଳ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା । ଚାନ୍ଦବାଲି ଓ ପାରାଦ୍ୱୀପରେ ସ୍ଥିତି ଗମ୍ଭୀର ରହିଥିଲା । ଗତ ରାତିରେ ୮.୫ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସହର ରହିଥିବାବେଳେ ସୋନପୁରରେ ୯, ଦାରିଙ୍ଗବାଡ଼ିରେ ୯.୫, କୋରାପୁଟରେ ୧୦, ଟିଟିଲାଗଡ଼ରେ ୧୦.୬, ସୁନ୍ଦରଗଡ଼ରେ ୧୧.୫, କଟକରେ ୧୫.୨ ଡିଗ୍ରୀ ରେକର୍ଡ କରାଯାଇଛି ।