ଗ୍ୟାସ୍ ଟାଙ୍କି ବିସ୍ଫୋରଣରେ ଜଳିଗଲା ଜଳଖିଆ ଦୋକାନ, ୭ ଗୁରୁତର
କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାର ସାଲେପୁର ବ୍ଲକ୍ ଅନ୍ତର୍ଗତ ଜପକୁଦ ବଜାରରେ ଏକ ଜଳଖିଆ ଦୋକାନରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ହୋଇଛି। ଏଥିରେ ଦୋକାନ ମାଲିକଙ୍କ ସମେତ ୭ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ତିନି ବର୍ଷର ଶିଶୁକନ୍ୟା ଅଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ସୂଚନା ଅନୁଯାୟୀ, ଜପକୁଦ ବଜାର ଫାଣ୍ଡି ସମ୍ମୁଖରେ ଦିନବନ୍ଧୁ ବେହେରାଙ୍କ ଏକ ଜଳଖିଆ ଦୋକାନ ରହିଛି। ଦୋକାନରେ ହଠାତ୍ ଗ୍ୟାସ୍ ଟାଙ୍କି ଫାଟିଯିବାରୁ ନିଆଁ ଲାଗି ଦୋକାନଟି ଜଳିଯାଇଥିଲା। ଏହି ଘଟଣାରେ ଦୋକାନ ଭିତରେ ଥିବା ୭ ଜଣ ଗୁରୁତର ଭାବେ ଆହତ ହୋଇଥିଲେ।ଆହତଙ୍କ ମଧ୍ୟରେ ଦୋକାନ ମାଲିକ ଦିନବନ୍ଧୁ ବେହେରା, ସୁହାନା ବିବି, ରିଆନା ବିବି ଏବଂ ରିଆନାଙ୍କ ତିନି ବର୍ଷର ଝିଅ ଥିବା ଜଣାପଡ଼ିଛି। ଅନ୍ୟ ତିନି ଜଣଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗ୍ୟାସ୍ ଟାଙ୍କି ଫାଟିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।


