ପୋଲିସ ନାଲି ଆଖି ଦେଖାଇ ବିଜେପିକୁ ଡରାଇବା ନବୀନଙ୍କ ଦିବାସ୍ୱପ୍ନ, ଓଡିଆ ଲୋକ ଜବାବ୍ ଦେବେ : ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ, ଢେଙ୍କାନାଳ ଓ ଖୋର୍ଦ୍ଧାରେ ବିଜୟ ସଂକଳ୍ପ ସମାବେଶ
ଭୁବନେଶ୍ୱର : ପୋଲିସର ନାଲି ଆଖି ଦେଖାଇ ବିଜେପିକୁ ଡରାଇବା ନବୀନ ବାବୁଙ୍କ ଦିବା ସ୍ୱପ୍ନ । ଏହାକୁ ଓଡିଆ ଲୋକ ଜବାବ ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ନବୀନ ବାବୁ ଓଡିଶାରେ ଇଂରେଜୀ ଓ ହିଟଲର୍ ପରି ଏକଛତ୍ରବାଦ ଶାସନ ଚଳାଇବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି । ଓଡିଶାରେ ବିଗତ ୪ ବର୍ଷରେ ସାଢେ ୬ ହଜାର କୋଟ ଟଙ୍କା ଡିଏମ୍ଏଫରେ ଥିବା ବେଳେ ଅନୁଗୁଳର ବିକାଶ ପାଇଁ ଏହି ପାଣ୍ଠିରେ ୧ ହଜାର କୋଟି ଟଙ୍କା ଅଛି । ମାତ୍ର ପିସି କାରବାର ନହେବା କାରଣରୁ ମୁଖ୍ୟମନ୍ତ୍ରୀ ଏହି ପଇସା ଖର୍ଚ୍ଚ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏତଦବ୍ୟତିତ ବିଜେପି ସରକାର ହେଲେ ୩ ମାସ ମଧ୍ୟରେ ଚିଟଫଣ୍ଡ ଟଙ୍କା ଲୁଟିଥିବା ଓ ଖଣି ଖାଦାନ ଚୋରଙ୍କୁ ଜେଲ ପଠାଯିବ ବୋଲି ସେ କହିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଚିଲିକାର ବାଣପୁର, ଟାଙ୍ଗୀ, ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା, ପାଲଲହଡା ଓ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର, ପର୍ଜଙ୍ଗ ଓ କଙ୍କଡାହାଡରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି ଯେ ଓଡିଶାରେ ବିଜେପି ସରକାର ହେଲେ ଢେଙ୍କାନାଳରେ ମେଡିକାଲ କଲେଜ ତିଆରି ହେବ । ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ, ଯେଉଁ ଘରେ ପାନୀୟ ଜଳ, ଗ୍ୟାସ ସିଲିଣ୍ଡର, ବିଜୁଳି, ଶୌଚାଳୟର ସୁବିଧା ଉପଲବ୍ଧ ଥିବ । ଏତଦବ୍ୟତିତ ବିଜେପି କ୍ଷମତାକୁ ଆସିଲେ ଓଡିଶାରେ ୧୫ଟି ପର୍ଯ୍ୟଟନ ସର୍କିଟ ବନାଯିବ । ଯେଉଁଥିରେ ଚିଲିକାକୁ ପ୍ରାଥମିକତା ଦିଆଯିବ । ସେହିପରି ଗୋପାଳପୁରରୁ ଦୀଘା ପଯ୍ୟନ୍ତ ସାଢେ ୪୦୦ କିମିର କୋଷ୍ଟାଲ ହାଇୱେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ଚିଲିକାରେ ବିଜେପି ନିର୍ମାଣ କରିବ । ଏହାବ୍ୟତିତ ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ ମତ୍ସ୍ୟଜୀବୀଙ୍କ ହିତ ପାଇଁ ଏକ ଭିନ୍ନ ବିଭାଗ ତିଆରି କରାଯିବ । ଏହାର ସବୁଠୁ ବଡ ଲାଭ ଚିଲିକା ଅଂଚଳର ଲୋକମାନେ ପାଇବେ । ସେହିପରି ବାଣପୁର ଅଂଚଳରୁ ଅଧିକ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ବେଳେ ସେମାନଙ୍କୁ ରୋଜଗାର ଦେବାର ବ୍ୟବସ୍ଥା କରାଯିବ । ୧୯ ବର୍ଷ ସରକାରରେ ରହି ନବୀନ ବାବୁ ଏହି ବ୍ୟବସ୍ଥା କରିନଥିବା ବେଳେ ବିଜେପି ଅଂଚଳରେ କାମ ଓ ରୋଜଗାରର ଉପଲବ୍ଧ କରାଇବ । ଦାଦନକୁ ପୂରା ବନ୍ଦ କରାଯିବାର ଦାୟିତ୍ୱ ବିଜେପି ନେବ । ନବୀନ ବାବୁ ଓଡିଶାରେ ଇଂରେଜୀ, ହିଟଲରୀ ପରି ଏକଛତ୍ରବାଦ ଶାସନ ଚାଲିବା ପାଇଁ ଚାହୁଁଛନ୍ତି କି ? ପୋଲିସର ନାଲି ଆଖି ଦେଖାଇ ବିଜେପିକୁ ଡରାଇବା ତାଙ୍କ ଦିବାସ୍ୱପ୍ନ । ସତସାହାସ ଥିଲେ ମଙ୍ଗୁଳିଜେନାର ଦୋଷୀକୁ ଗିରଫ କରନ୍ତୁ । ବିଜେପି ସରକାର ଆସିବା ଡରରେ ମୁଖ୍ୟମନ୍ତ୍ରୀ ହିଂସାକୁ ଅବଲମ୍ବନ କରିଛନ୍ତି । ବିଜେପିର ଖୋର୍ଦ୍ଧା ଓ ସୋରଡାରେ ଦୁଇ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି । ଯଦି ମୁଖ୍ୟମନ୍ତ୍ରୀ କାମ କରିଛନ୍ତି ତା’ ହେଲେ ହିଂସାକୁ କାହିଁକି ଆପଣେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ମଙ୍ଗୁଳି ଜେନା ହତ୍ୟାକାଣ୍ଡରେ ଦୋଷୀ ଯେତେ ବଡ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ତାଙ୍କୁ ଜେଲ୍ ପଠାଯିବ ବୋଲି ମୋଦି କହିଛନ୍ତି । ଯେଉଁମାନେ ଓଡିଶାର ଗଣତନ୍ତ୍ରକୁ କଣ୍ଠରୋଧ କରିବାର ଚେଷ୍ଟା କରିବେ ବୋଲି ଭାବୁଛନ୍ତି, ଏହାକୁ ଜବାବ ଦେବା ପାଇଁ ଓଡିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କ ସହ ଠିଆ ହେବା ପାଇଁ ମେଳି କଲେଣି । କେନ୍ଦ୍ରରେ ବାଜପେୟୀଙ୍କ ସରକାର ଥିବା ସମୟରେ କିଛି ସମୟ ପାଇଁ ନବୀନ ବାବୁ କୋଇଲା ବିଭାଗର ମନ୍ତ୍ରୀ ଦାୟିତ୍ୱରେ ଥିଲେ । ସେ ସମୟରେ ନବୀନ ବାବୁ ଗୋଟେ ଭୂତ କମ୍ପାନୀକୁ କୋଇଲା ଖଣି ଆବଂଟନ କରିଥିଲେ । ଏହି ଘଟଣାର ତଦନ୍ତ ପରେ ନବୀନ ବାବୁଙ୍କୁ ସିବିଆଇ ଜେରା କରୁଛି ଓ ଅନ୍ୟପଟେ ନବୀନ ବାବୁଙ୍କ ଓକିଲ ପିନାକୀ ବାବୁ ସଂସଦରେ ଏ ଅଂଚଳର ସମସ୍ୟା କଥା ନଉଠାଇ ନବୀନ ବାବୁଙ୍କ ଦିଆନିଆ କଥା ଉଠାଉଛନ୍ତି । କଂଗ୍ରେସ ଶାସନରେ ୨୦୦୯-୧୪ ମଧ୍ୟରେ ଇନ୍ଦିରା ଆବାସ ଯୋଜାନାରେ ୪ ଲକ୍ଷ ୯୦ ହଜାର ଘର ଓଡିଶା ପାଇଁ ଆସିଥିଲା । କିନ୍ତୁ ୨୦୧୪-୧୯ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ୧୦ ଲକ୍ଷ ଘର ଓଡିଶାକୁ ଦେଇଛନ୍ତି । ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ଘରେ ବିଜୁଳି ପହଁଚାଇଛନ୍ତି, ୪୦ ଲକ୍ଷ ଘରକୁ ମାଗଣାରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ପହଁଚାଇଛନ୍ତି, ୫୦ ଲକ୍ଷ ଘରେ ଶୌଚାଳୟ ବନାଯାଇଛିି । କାଳିଆ ଯୋଜନାରେ ସାଧାରଣ ଚାଷୀ ଟଙ୍କା ପାଉନଥିବା ବେଳେ ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ପରିବାର ଲୋକଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ ପାଇଛି । ସେ ଆହୁରି କହିଛନ୍ତି ଯେ ଏ ଲଢେଇ ବିଧାୟକ ଓ ସାଂସଦ ପାଇଁ ନୁହେଁ, ଦେଶର ସୁରକ୍ଷିତ ଓ ଓଡିଶାର ବିକାଶ ବା ଓଡିଶାକୁ ୧ ନମ୍ବର ରାଜ୍ୟ କରିବା ପାଇଁ । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇ ଓଡିଶାରେ ମୋଦିଙ୍କ ସରକାର କରିବାକୁ ସେ ଆହ୍ୱାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ