ପଲିଥିନ୍ ବିକ୍ରି କଟକଣା ହୋଇଛି ବାଟବଣା : ପୌର ପ୍ରଶାସନ ସାଜିଛି ନିରବଦ୍ରଷ୍ଟା
ହିଂଜିଳିକାଟୁ (ଶେଷଦେବ ସାହୁ) : ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ହିଂଜିଳିକାଟୁ ସହରରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କଟକଣା ହୁଗୁଳି ଗଲାଣି । ସହରରେ ଧିରେ ଧିରେ ପୁଣି ପ୍ଲାଷ୍ଟିକ ବ୍ୟବସାୟ ତଥା ବ୍ୟବହାର ବଢୁଥିବା ବେଳେ, ଏ କ୍ଷେତ୍ରରେ ସ୍ଥାନୀୟ ପୌର ପ୍ରଶାସନର ନିରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗତବର୍ଷ ଗାନ୍ଧି ଜୟନ୍ତି ଅର୍ଥାତ ଅକ୍ଟୋବର ୨ ତାରିଖରୁ ରାଜ୍ୟର ବିଭିନ୍ନ ମହାନଗର ନିଗମ ଓ ପୌରାଂଚଳରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣଟା ଜାରୀ କରାଯାଇଥିଲା । ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଯୋଗୁଁ ପରିବେଷ ପ୍ରଦୂଷିତ ହେବା ସହିତ ଏହାର ବ୍ୟବହାରରେ ବିଭିନ୍ନ ରୋଗ ବ୍ୟାପିବା ଆଶଙ୍କା ରହିଥିବାରୁ ଓଡ଼ିଶାର ୫ ଟି ମହାନଗରନିଗମରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷେଧ କରାଯ୍ଧବଥିଲା । ଏ ନେଇ ବ୍ୟାପକ ସଚେତନତା କରାଯାଇ ଲୋକଙ୍କୁ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଥିଲା । ଏପରିକି କେଉଁ କେଉଁ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କରାଯାଇପାରିବ ସେ ନେଇ ହିଂଜିଳିକାଟୁ ପୌରପ୍ରଶାସନ ପକ୍ଷରୁ ବଞପ୍ତି ମଧ୍ୟ ଜାରୀ କରାଯାଇଥିଲା । ଜନସାଧାରଣଙ୍କ ସୁବିଧା ପାଇଁ ଗତ ଅକ୍ଟୋବର ୨ ତାରିଖରୁ ଏକ ମାସ ପାଇଁ କୌଣସି ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇନଥିଲା । ୧ ମାସ ଅବଧି ପୂରଣ ପରେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇ ବିପୁଳ ପରିମାଣରେ ପ୍ଲାଷ୍ଟିକ ଓ ପଲିଥିନ ଜବତ କରାଯିବା ସହ ଜୋରିମାନା ବାବଦରେ ନଗଦ ଅର୍ଥ ଆଦାୟ କରାଯାଇଥିଲା । କିନ୍ତୁ ପରବର୍ତୀ ସମୟରେ କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାରେ ପ୍ରଶାସନିକ ଉଦାସିନତା ଦେଖିବାକୁ ମିଳୁଛି । କଟକଣା ଲାଗୁ ହେବାର ଦୀର୍ଘ ୭ ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ବର୍ତମାନ ମଧ୍ୟ ସ୍ଥାନୀୟ ବଜାରରେ ଅତି ସହଜରେ ପ୍ଲାଷ୍ଟିକ୍ ଓ ପଲିଥିନ ବିକ୍ରି କରାଯାଉଥିବାର ଦେଖିବାକୁ ମିଳୁଛି । ଯଦ୍ୱାରା ସମ୍ପୂଣ୍ଣ ରୂପେ ଅଙ୍କୁଶ ଲାଗିପାରିନଥିବା ନେଇ ସହରାରେ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି । ପ୍ରାରମ୍ଭରେ ସ୍ଥାନୀୟ ପୌର ପ୍ରଶସନ ପକ୍ଷରୁ ଚଢାଉ କରାଯାଇଥିଲେ ସୁଦ୍ଧା ସହରରେ ସମ୍ପୂଣ୍ଣ ରୂପେ ପଲିଥିନ ବନ୍ଦ ହୋଇପାରିନାହିଁ । କିଛି ଜାଗାରେ ପ୍ଲାଷ୍ଟିକଓ ପଲିଥିନ ବଦଳରେ କାଗଜ ଗ୍ଳାସ ଓ ଅନ୍ୟ ପୁନଃପ୍ରକିୟା କରଣ ସାମଗ୍ରୀ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ବାଦ ଦେଲେ ବହୁ ସ୍ଥାନରେ ଏହି କଟକଣା କାଟୁ କରୁନଥିବା ଲକ୍ଷ୍ୟ କରାଯାଉଛି । ସହରରେ ବର୍ତମାନ ବି ବହୁ ବ୍ୟବସାୟିକ ପ୍ରତିଷ୍ଠାନରେ ପଲିଥିନ ଓ ପାଣି ପାଉଚ ଭଳି ସାମଗ୍ରୀ ବେଧଡ଼କ ଭାବେ ବିକ୍ରି ଚାଲିଛି । ପ୍ରଶାସନିକ ପଦକ୍ଷେପ ତଥା କାର୍ଯ୍ୟାନୁଷ୍ଠାନ ଅଭାବରୁ ଦିନକୁ ଦିନ ବଢି ଚାଲିଛି । କିଛି ଦିନ ହେଲା ଚଢାଉ ବନ୍ଦ ରହିଥିବାରୁ ଅସାଧୁ ବ୍ୟବସାୟୀ ପୁଣି ପଲିଥିନ କାରବାରରେ ମାତିଥିବା ଦେଖିବାକୁ ମିଳୁଛି ।ପ୍ରଦୁଷଣ ନିୟନ୍ତ୍ରଣ ଓ ନିୟମକୁ ଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ପୌର ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।