ପୂର୍ବାଞ୍ଚଳ ଦୃଷ୍ଟିହୀନ କ୍ରିକେଟ୍ ବିଜେତା ବାଲେଶ୍ୱର ଟିମ୍କୁ ରୋଟାରୀ କ୍ଲବର ସମ୍ବର୍ଦ୍ଧନା
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ ): ପୂର୍ବାଞ୍ଚଳ ବିଦ୍ୟାଳୟସ୍ତରୀୟ ଦୃଷ୍ଟିହୀନ କ୍ରିକେଟ୍ ବିଜେତା ରାଣୀପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ ଦଳ ବାଲେଶ୍ୱର ରେଳ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ରୋଟାରୀ କ୍ଲବ ଦ୍ୱାରା ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ପର୍ବରେ ରୋଟାରୀ ସଭାପତି ରୋଟାରୀୟାନ୍ ବିଦ୍ୟାଧର ସିଂ, ସଂପାଦକ ବିଶ୍ୱଜିତ୍ ପଣ୍ଡା, ରୋଟାରିୟାନ୍ ସୁବ୍ରତ କର, ରୋଟାରିୟାନ୍ ଶାନ୍ତନୁ ପାଣି, ରୋଟାରିୟାନ୍ ପଦାର ଦଳମହାପାତ୍ର, କଲ୍ୟାଣୀ ଚାନ୍ଦ, ଶାଶ୍ୱତ ରୋଟାରୀର ପ୍ରତିଷ୍ଠାତା ସଭାପତି ସୁକୁମାର ଋଣା ପ୍ରମୁଖ ଉପସ୍ଥିତ ରହି ବିଜୟୀ ଦଳକୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ରୂପାୟନର ସଂପାଦିକା ଶ୍ରଦ୍ଧାଞ୍ଜଳୀ ରାୟ, ସୁଜାତା ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କମଳା କାନ୍ତ ବେହେରାଙ୍କ ପ୍ରତିନିଧି ପ୍ରୀତମ ସାହୁ ମଧ୍ୟ ସେଠାରେ ଉପସ୍ଥିତ ରହି ଦଳକୁ ସମ୍ବର୍ଦ୍ଧିତ କରିଥିଲେ । ଏତତ୍ ବ୍ୟତୀତ ଦଳକୁ ପାଛୋଟି ନେବା ନିମନ୍ତେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏଥିନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷ ଦିବକାର ସ ସମସ୍ତ ରୋଟାରିୟାନ୍ମାନଙ୍କୁ ଧନ୍ୟବାଦ ଦେଇଥିଲେ । ବିହାରର ମୁଜାଫରପୁରଠାରେ ୨ୟ ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାରେ ଓଡିଶାର ରାଣୀପାଟଣା, ବାଲେଶ୍ୱରର ଦୃଷ୍ଟିହୀନ ବିଦ୍ୟାଳୟ ବିଜେତା ହୋଇଛି । ଏହି ପ୍ରତିଯୋଗିତାରେ ଓଡିଶା, ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାର ଓ ଆସାମର ୧୨ଟି ଦଳ ଅଂଶଗ୍ରହଣ କରିଥିଲେ । ପ୍ରଥମ ଲିଗ୍ ମ୍ୟାଚରେ ବାଲେଶ୍ୱର ଦଳ ନଦିଆ ନବଦ୍ୱିପ, କଲିକତା ଦଳକୁ ୧୩୫ରନ୍ ବ୍ୟବଧାନରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଧିନାୟକ ସିଂରାଇ ମାଝି ୧୦୯ ରନ୍ ଓ ଅଞ୍ଜନ ସିଂଙ୍କ ୯୨ ରନ୍ ବଳରେ ଦଳ ନିର୍ଦ୍ଧାିତ ଓଭରରେ ୨୧୨ ରନ୍ ସଂଗ୍ରହ କରିଥିଲା । ତାହାର ଜବାବରେ ନଦିଆ ନବଦ୍ୱିପ ୮୧ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା । ୨ୟ ଲିଗ୍ ମ୍ୟାଚରେ ବିହାରର ପାଟନାକୁ ପରାସ୍ତ କରି ଦଳ ଲାଇଟ୍ ହାଉସ୍, କଲିକତା ସହିତ ସେମିଫାଇନାଲ ମ୍ୟାଚ୍ ଖେଳିବା ପାଇଁ ବିବେଚିତ ହୋଇଥିଲା । ସେମିଫାଇନାଲ ମ୍ୟାଚରେ ଅଧିନାୟକ ସିଂରାୟ ମାଝିଙ୍କ ୮୧ ରନ୍ ବଳରେ ନିର୍ଦ୍ଧାରିତ ଓଭରରେ ଦଳ ୧୧୫ ରନ୍ ସଂଗ୍ରହ କରିଥିଲା । ଜବାବରେ ଲାଇଟ ହାଉସ ୧୧୦ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା । ଫାଇନାଲ ମ୍ୟାଚରେ ଦଳ ଝାଡଖଣ୍ଡକୁ ସମ୍ମୁଖୀନ ହୋଇଥିଲା । ପ୍ରଥମେ ଝାଡଖଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭୦ ରନ୍ ସଂଗ୍ରହ କରଥିଲା । ଯାହାକୁ ୩.୩ ଓଭରରେ ବିନା ୱିକେଟ୍ରେ ବାଲେଶ୍ୱର ଦଳ ସଂଗ୍ରହ କରି ବିଜେତା ହୋଇଥିଲା । ସିଙ୍ଗରାୟ ମାଝିଙ୍କୁ ମ୍ୟାନ ଅଫ୍ ଦି ସିରିଜ୍ ଘୋଷଣା କରାଯାଇଥିଲା । ବିହାର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଦ୍ୱାରା ବିଜେତା ଟିମକୁ ଟ୍ରଫି ପ୍ରଦାନ କରାଯାଇଥିଲା । ଦଳର ପ୍ରଶିକ୍ଷକ ପ୍ୟାରିମୋହନ ଭୂୟାଁଙ୍କୁ ଓଡିଶା ଦୃଷ୍ଟିହୀନ କ୍ରକେଟ୍ ସଂଘର ସଭାପତି ମହମ୍ମଦ ଇକବାଲ ଜାଫର ଓ ଅଧ୍ୟକ୍ଷ ଦିବାକର ସ ବିଜୟର ସମସ୍ତ ଶ୍ରେୟ ପ୍ରଦାନ କରିଥିଲେ ।