ବାଲେଶ୍ୱର ଠାରେ ୭ଟି ଜିଲ୍ଲାକୁ ନେଇ କ୍ଲଷ୍ଟର ବୈଠକ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱରସ୍ଥିତ ନୋସୀ ବିଜନେସ ପାର୍କ ଠାରେ ୭ଟି ଜିଲ୍ଲାକୁ ନେଇ ସହରାଂଚଳ ବିକାଶ କାର୍ଯ୍ୟକ୍ରମଗୁଡିକର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସରକାରଙ୍କ ଗୃହ ନିିିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି ମାଥିଭାତନନ ବିଭାଗର କାର୍ଯ୍ୟାବଳୀର ରୂପରେଖ ପ୍ରସ୍ତୁତ କରିବା ସହ ଆଗାମୀ ଦିନରେ ମୋ ସରକାର ଅନ୍ତର୍ଗତ ବିଭିନ୍ନ ଫ୍ଲାଗସିପ୍ କାର୍ଯ୍ୟକ୍ରମଗୁଡିକୁ ହାତକୁ ନିଆଯାଇଥିବା ହେତୁ କିପରି ସେଗୁଡିକୁ ପ୍ରମୁଖତାର ସହ ସମ୍ପାଦନ କରାଯିବ ତାହା ତାଙ୍କ ଅଭିଭାଷଣରେ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ସ୍ୱାଗତ ଅଭିଭାଷଣ ରଖି ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ବାଲେଶ୍ୱର ଏ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବାର ସୁଯୋଗ ପାଇଥିବାରୁ ଅତ୍ୟନ୍ତ ପ୍ରସନ୍ନତା ପ୍ରକାଶ କରିଥିଲେ । ପରେ ନିର୍ଦ୍ଦେଶକ ପୌର ପ୍ରଶାସନ ଶ୍ରୀ ସଂଗ୍ରାମଜିତ ନାୟକ କାର୍ଯ୍ୟକ୍ରମ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ସେହିପରି ନଗର ଉନ୍ନୟନ ବିଭାଗରୁ ଆସିଥିବା ଯୁଗ୍ମ ସଚିବ ଶ୍ରୀ ସାରଦା ପ୍ରସାଦ ପଣ୍ଡା, କଲ୍ୟାଣ କୁମାର ରଥ ଏବଂ ଉପସଚିବ ଶ୍ରୀ ଦୁର୍ଗା ପ୍ରସାଦ ମହାପାତ୍ର ପ୍ରମୁଖ ପାନୀୟ ଜଳ ଯୋଗାଣ, କଠିନ ବର୍ଯ୍ୟବସ୍ତୁ ପରିଚାଳନା, ରାଜସ୍ୱ ଆଦାୟ, ଜାଗା ମିଶନ, ଆହାର କାର୍ଯ୍ୟକ୍ରମ, ରାସ୍ତା ଆଲୋକୀକରଣ, ନଗରାଂଚଳ ଜୀବିକା ମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜିଲ୍ଲା ଓ ୟୁଏଲବି ୱାରୀ ସମୀକ୍ଷା କରିଥିଲେ । ସମୀକ୍ଷା ବେଳେ ଅଧିକାରୀମାନଙ୍କୁ ପ୍ରତିଟି କାର୍ଯ୍ୟ ସଂପାଦନ ବେଳେ ଦକ୍ଷତା, ସ୍ୱଚ୍ଛତା ଓ ସେବା ପ୍ରଦାନ ଭଳି ତିନୋଟି ବିଷୟକୁ ଗମ୍ଭୀରତାର ସହ ବିଚାରକୁ ନେଇ ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦିଆଯାଇଥିଲା । ଯେଉଁମାନେ ଉତମ ସେବା ପ୍ରଦାନ କରିବେ ସେମାନେ ସରକାରଙ୍କ ଦ୍ୱାରା ପୁରସ୍କୃତ ହେବେ ବୋଲି ନିର୍ଦ୍ଦେଶକ ସୂଚାଇ ଦେଇଥିଲେ । ବିଶେଷ ଭାବେ ବିଭିନ୍ନ ପୌରପାଳିକାରେ ବକେୟା ରହିଥିବା ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଦିଗରେ ତତ୍ପରତା ପ୍ରକାଶ କରିବାକୁ ପିଡି ଡୁଡାମାନଙ୍କୁ ତାଗିଦ କରାଯାଇଥିଲା । ଏଣିକି ସବୁ ପ୍ରକାର ଟ୍ୟାକ୍ସ ଆଦାୟକୁ ସୂଚାରୁ ଭାବେ ସଂପାଦନ କରିବା ସହ ଅନଲାଇନ ବ୍ୟବସ୍ଥା ଲାଗୁ ଫଳରେ ପ୍ରତିଦିନ ଟିକସ ସଂଗ୍ରହର ତଥ୍ୟ ରାଜ୍ୟ ମୁଖ୍ୟାଳୟରେ ଥାଇ ଜଣାପଡିବ । ତେଣୁ କେହି ମଧ୍ୟ ଏଥିରେ ଟାଳଟୁଳ ଅଥବା ଖିଲାପ କରିପାରିବେନି ବୋଲି କୁହାଯାଇଥିଲା । ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ହାତକୁ ନିଆଯାଇଥିବା ପ୍ରକଳ୍ପଗୁଡିକୁ ତୁରନ୍ତ ସାରିବାକୁ ମଧ୍ୟ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ପ୍ରମୁଖ ଶାସନ ସଚିବ ଶ୍ରୀ ମାଥିଭାତନନ ଏଣିକି ସହରାଂଚଳ ଗୁଡିକରେ ମାର୍କେଟିଂ କମ୍ପେ୍ଲକ୍ସ ନିର୍ମାଣକୁ ଗୁରୁତ୍ୱ ନ ଦେଇ ବରଂ ଭେଣ୍ଡିଂ ଜୋନ ପ୍ରତିଷ୍ଠା କରିବାକୁ ସେ ପରାମର୍ଶ ଦେଇଥିଲେ । ତା ଛଡା ପ୍ରତି ୱାର୍ଡରେ ଛୋଟ ଛୋଟ କମ୍ୟୁନିଟି ସେଂଟର ନିର୍ମାଣ ପାଇଁ ସେ ଜୋର ଦେଇଥିଲେ । ଏପରିକି ବିଶାଳ ଷ୍ଟାଡିୟମ ପରିବର୍ତେ ଏକାଧିକ କ୍ଷୁଦ୍ର ଖେଳ ପଡିଆର ବିକାଶ କରାଗଲେ ତାହା ବ୍ୟାପକ ଭାବେ ବ୍ୟବହାର ହୋଇପାରିବ ବୋଲି ସେ ମତ ପୋଷଣ କରିଥିଲେ । ଆଜିର ଏହି ବୈଠକରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାପାଳଙ୍କ ସମେତ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲା ସହରାଂଚଳ ବିକାଶ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କ ସମେତ ୨୩ ଗୋଟି ପୌରାଂଚଳ, ଅଧିସୂଚୀତ କ୍ଷେତ୍ର ପରିଷଦର ନିର୍ବାହୀ ଅଧିକାରୀ, ଯନ୍ତ୍ରୀ, ସାମାଜିକ ସଂଗଠକ, ଟିକସ ସଂଗ୍ରହକାରୀ, ଏମ.ଆଇ.ଏସ୍ ଭଳି ପ୍ରାୟ ୨୧୫ଜଣ ଅଧିକାରୀ ଯୋଗ ଦେଇଥିଲେ । ପରିଶେଷରେ ବାଲେଶ୍ୱର ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରାମଚନ୍ଦ୍ର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ ।