ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ
ବାଲେଶ୍ବର(ସରୋଜ ପଣ୍ଡା): ଲଗାତାର ଭୀଷଣ ବର୍ଷାର ପ୍ରଭାବରେ ରେମୁଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳ ଗୁଡିକରେ ପାଣି ପ୍ରବେଶ କରି ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ସେ ହରିପୁର, ଦହପଡ଼ା, ନିଜାମପୁର ଆଦି ପଞ୍ଚାୟତ ଗୁଡ଼ିକୁ ବୁଲି ସ୍ଥିତିର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ବିଧାୟକ ଶ୍ରୀ ଦାସ ପ୍ରଭାବିତ ଲୋକଙ୍କ ସହିତ ସକ୍ଷାତ କରି ତାଙ୍କ ସମସ୍ୟା ବିଷୟରେ ବୁଝିଥିଲେ। ଏଥି ସହିତ ଆବଶ୍ୟକ ସ୍ଥାନରେ ପ୍ରଭାବିତ ପରିବାରମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଲଗାତାର ଦ୍ୱିତୀୟ ଥର ଲଗାଣ ବର୍ଷା ହେବାରୁ ଅନେକ ଅଞ୍ଚଳରେ ପାଣି ଜମି ରହିଥିବା ସହ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଏହି ପରିପ୍ରେକ୍ଷିରେ ସମସ୍ତ ପ୍ରଭାବିତଙ୍କୁ ଆବଶ୍ୟକ ସହାୟତା ଯୋଗାଇବା, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ବିଧାୟକ କହିଥିଲେ।


