ବିଭାଜନ ବିଭୀଷିକା ସ୍ମୃତି ଦିବସ
ବାଲେଶ୍ଵର, (ସରୋଜ ପଣ୍ଡା) “ହର ଘର ତିରଙ୍ଗା ୨୦୨୬” ଉପଲକ୍ଷେ “ବିଭାଜନ ବିଭୀଷିକା ସ୍ମୃତି ଦିବସ” ୧୪ ଅଗଷ୍ଟ ୨୦୨୬ ଦିନ ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲ, ବାଲେଶ୍ଵରଠାରେ ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ପାଳିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ, ବାଲେଶ୍ଵର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ବାଲେଶ୍ଵର ପୌରପାଳିକାର ପୌରାଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ଓ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ମଧୁସ୍ମିତା ସାମନ୍ତରାୟ ଯୋଗଦେଇଥିଲେ । ଏହି ସମାରୋହରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭାରତର ପ୍ରାଚୀନ ଇତିହାସ ବର୍ଣ୍ଣନା କରିବା ସହ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ଓ ବଳିଦାନ ଏବଂ ଭାରତ ବିଭାଜନର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆଲୋକପାତ କରିଥିଲେ । ଅନ୍ୟାନ୍ୟ ଅତିଥି ବୃନ୍ଦ ଭାରତ ବିଭାଜନର ସ୍ମୃତି ଚାରଣ କରିବା ସହ ଭାରତର ସାର୍ବଭୌମତା ରକ୍ଷା ନିମନ୍ତେ ସମସ୍ତେ ଚେଷ୍ଟିତ ହେବାକୁ ଉଲ୍ଲେଖ କରିଥିଲେ । ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ ଓ ଜାତୀୟ ସଙ୍ଗୀତ ଜନ ଗଣ ମନର ସମୂହ ଗାନ, ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା, ଫଟୋ ପ୍ରଦର୍ଶନୀ ଏବଂ ବିଭାଜନ ବିଭୀଷିକା ସ୍ମୃତି ଦିବସ ଉଦ୍ଦେଶ୍ୟରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ମଧୁସ୍ମିତା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।


