ପାଣି ଘେରରେ ଥିବା ଲୋକଙ୍କୁ ରିଲିଫ ପ୍ରଦାନ କଲେ ବିଧାୟକ
ବାଲେଶ୍ବର(ସରୋଜ ପଣ୍ଡା): ଦୁଇ ସପ୍ତାହ ତଳର ଲଘୁଚାପ ଜନିତ ଲଗାଣ ବର୍ଷାର ଚିହ୍ନ ଲିଭି ନଥିବା ବେଳେ ପୁଣି ଏକ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଦହଗଞ୍ଜ ହୋଇପଡିଛନ୍ତି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ବିଭିନ୍ନ ପଂଚାୟତର ଜନସାଧାରଣ । ତେବେ ଚଳିତ ବର୍ଷାରେ ଅଧିକ ପ୍ରଭାବିତ ହୋଇଥିବା କସିପଦା, ରୁପସା, ଆଙ୍କୋ ଓ ରାଇସୁଆଁ ପ୍ରଭୃତି ପଂଚାୟତରେ ବର୍ଷାପାଣି ନିଷ୍କାସିତ ହୋଇ ନପାରି ନାହିଁ ନଥିବା ସମସ୍ୟା ସୃଷ୍ଟି କରିଛି । ଚାରୋଟି ପଂଚାୟତରେ ଏକ ପ୍ରକାର ବନ୍ୟା ଦେଖା ଦେଇଥିବା ବେଳେ ଜଳବନ୍ଦୀ ହୋଇ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ରହିଛନ୍ତି ଅନେକ ପରିବାର । ଜଳ ଘେରରେ ଥିବା ଗ୍ରାମଗୁଡିକରେ ପହଂଚି ଲୋକଙ୍କୁ ଆଶ୍ୱସ୍ତି ଦେବା ନେଇ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି କ୍ରମରେ ବିଧାୟକ ଶ୍ରୀ ଦତ୍ତ ସକାଳେ ପ୍ରଥମେ କସିପଦା ପଂଚାୟତର ପାଣି ଘେରରେ ଥିବା ବିଭିନ୍ନ ଅଂଚଳର ଲୋକଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଂଟନ କରିଛନ୍ତି । ଏହା ସହିତ ଜନସାଧାରଣଙ୍କ ନିମନ୍ତେ ଉପୁଜିଥିବା ବିଷମ ପରିସ୍ଥିତିର ଆଶୁ ଲାଘବ ନେଇ ସେ ଆଲୋଚନା କରିଥିଲେ । ପରେ ରୁପସା, ଆଙ୍କୋ, ରାଇସୁଆଁ ପ୍ରଭୃତି ପଂଚାୟତ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ ପୂର୍ବକ ଘରକୁ ଘର ବୁଲି ବିଧାୟକ ଶ୍ରୀ ଦତ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେଇଛନ୍ତି । ଚାରୋଟି ପଂଚାୟତରେ ବର୍ଷା ଜଳ ଏବଂ ବନ୍ୟା ପ୍ରଭାବିତ ଲୋକଙ୍କ ପୁନର୍ବାସର ସ୍ଥିତି ଅନୁଧ୍ୟାନ ପୂର୍ବକ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଏହି ପରିଦର୍ଶନ ସମୟରେ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ବନ୍ୟା ପିଡିତଙ୍କ ନିକଟରେ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ରିଲିଫ ସହାୟତା ପହଂଚାଇବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ବନ୍ୟା ବିପର୍ଯ୍ୟୟର ଏହି କଠିନ ସମୟରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରହିବା ଏବଂ ସମସ୍ତ ପ୍ରକାର ସହାୟତା ପହଂଚାଇବା ପାଇଁ ଆମେ ସଦା ତତ୍ପର ରହିଛୁ ବୋଲି ସେ କହିଛନ୍ତି ।


