ୱାକଫ ବିଲକୁ ନେଇ ଦୃଷ୍ଟି ଆକର୍ଷଣ କଲେ ପୂର୍ବତନ ରାଜ୍ୟ ୱାକଫ ବୋର୍ଡ ସଦସ୍ୟ
ବନ୍ତ (ୟୁଏନ୍ଏସ୍) : କେନ୍ଦ୍ର ସରକାର ଆଣିଥିବା ୱାକଫ ସଂଶୋଧନ ବିଲକୁ ବିଜେଡି ରାଜ୍ୟ ସଭାରେ ଆଲୋଚନାରେ ବିରୋଧ କରିବା ଏବଂ ବିଲ ବିରୁଦ୍ଧରେ ଦଳର ସମସ୍ତ ୭ ଜଣ ସାଂସଦ ଭୋଟ ଦେବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ରାଜ୍ୟ ସଭାରେ ଆଲୋଚନା ବେଳେ ମାନ୍ୟବର ସାଂସଦ ମୁନା ଖାଁ ଆଲୋଚନାରେ ଭାଗ ନେଇ ବିଲଟି ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ମୁସଲିମ ସଂପ୍ରଦାୟ ବିରୁଦ୍ଧରେ ଅଣାଯାଇଛି ବୋଲି ଉଲ୍ଲେଖ କରି ବିଜୁ ଜନତା ଦଳ ଏହି ବିଲକୁ ବିରୋଧ କରୁଛି ବୋଲି ଦର୍ଶାଇଥିଲେ । ବିଲ୍ ବିରୁଦ୍ଧରେ ବିଜୁ ଜନତା ଦଳର ସମସ୍ତ ସଦସ୍ୟ ଭୋଟ ଦେବେ ବୋଲି ପ୍ରକାଶ କରିଥିଲେ । କିନ୍ତୁ କିଛି ଘଣ୍ଟା ପରେ ହଠାତ୍ ମାନ୍ୟବର ସାଂସଦ ସସ୍ମିତ ପାତ୍ର ଘୋଷଣା କଲେ ଯେ, ଦଳ ତରଫରୁ ଭୋଟ ଦେବାକୁ କୌଣସି ହୁଇପ ଜାରି କରାଯାଇନାହିଁ ଏବଂ ସମସ୍ତ ସଦସ୍ୟ ନିଜ ବିବେକ ଅନୁଯାୟୀ ଭୋଟ ଦେବେ । କିଭଳି ଭାବରେ ସଂଗେ ସଂଗେ କାହା ନିର୍ଦ୍ଦେଶରେ ଏହା ଘୋଷଣା ହେଲା ତାହା ଜଣାପଡୁନାହିଁ । ଯାହା ଫଳରେ ଓଡିଶାର ସଂଖ୍ୟା ଲଘୁ ଭାଇଭଉଣୀ ମାନଙ୍କୁ ବହୁତ ଆଘାତ ଲାଗିଛି । ଏଥିପାଇଁ ଭଦ୍ରକ ଜିଲା ବିଜୁ ଜନତା ଦଳର ସଂଖ୍ୟା ଲଘୁ ସେଲ ସଭାପତି ତଥା ପୂର୍ବତନ ଓଡିଶା ୱାକଫ ବୋର୍ଡ ସଦସ୍ୟ ସେକ୍ ଜଲାଲଉଦ୍ଦୀନ ମାନ୍ୟବର ବିଜେଡି ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସନ୍ତୋଷ ଜନକ ସ୍ପଷ୍ଟିକରଣ ନିମନ୍ତେ ଦାବୀ କରିଛନ୍ତି ।