ଉତ୍ସାହ ଉଦ୍ଦୀପନାର ସହ ପବିତ୍ର ଶ୍ରୀରାମ ନବମୀ ପାଳିତ

ଆସିକା (ୱାଇଏନ୍‍ଏସ୍‍): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ରାମ ମନ୍ଦିର, ରଘୁନାଥ ମନ୍ଦିର ଓ ହନୁମାନ ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସାହ ଉଦ୍ଦୀପନାର ସହ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି । ଆସିକା ଏନ୍‌ଏସି ଅନ୍ତର୍ଗତ ସୁନାମ୍ବ ସାହି ରଘୁନାଥ ମନ୍ଦିର, ତାଲୁକା ଜେଲ୍ ଠାରେ ଥିବା ହନୁମାନ ମନ୍ଦିର, ରଘୁନାଥ ନଗରରେ ଥିବା ରାମ ମନ୍ଦିର, ଅଶୋକା ସିନେମା ହଲ୍ ଠାରେ ଥିବା ହନୁମାନ ମନ୍ଦିର, ଲାଲାଗୋର୍ଜି ଛକ ଠାରେ ଥିବା ପଞ୍ଚମୁଖୀ ହନୁମାନ ମନ୍ଦିର ସମେତ ବସ୍‌ଷ୍ଟାଣ୍ଡ, ଲଛମନପଲ୍ଲୀ, ନଳବଣ୍ଟା, ଦେବଭୁମୀ, ପାକଲାପଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ଥିବା ରଘୁନାଥ ମନ୍ଦିର ଗୁଡିକରେ ଶ୍ରୀରାମ ନବମୀ ଉତ୍ସବ ପାରମ୍ପରିକ ପୂଜାବିଧି ଅନୁଯାୟୀ ପାଳିତ ହୋଇଯାଇଛି । ଆଜି ଭୋର ସମୟରୁ ବିଗ୍ରହ ମାନଙ୍କୁ ଦିବ୍ୟ ପୁରୋହିତ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ନାଭିଛେଦନ, ମହାସ୍ନାନ, ହୋମ, ଆଦି କାର୍ଯ୍ୟକ୍ରମ ପରେ ଅନୋଳି ଭୋଗ ଦିଆଯାଇ ମହାଆଳତୀ ପରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା । ମନ୍ଦିର ଗୁଡିକରେ ରାମନବମୀ ଅବସରରେ ରାମ ଚରିତ ମାନସ ପରାୟଣ, ଭଜନ କୀର୍ତ୍ତନ, ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ କୃପାଲାଭ କରିବା ଲାଗି ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା । ରାମନାମରେ ମନ୍ଦିର ଗୁଡିକ ପ୍ରକମ୍ପିତ ହୋଇପଡିଥିଲା ବେଳେ ପଦ୍ମପୁଷ୍ପ ଓ ତୁଳସୀର ଦିବ୍ୟ ମାଳାରେ ରଘୁନନ୍ଦନ ରାମଙ୍କୁ ସଜ୍ଜିତ କରାଯାଇଥିଲା ବେଳେ ଭଗବାନ ରାମଙ୍କ ଦିବ୍ୟ ସ୍ୱରୂପକୁ ଦର୍ଶନ ଲାଗି ଶ୍ରଦ୍ଧାଳୁ ଭକ୍ତମାନେ ମନ୍ଦିରରେ ଉପସ୍ଥିତ ରହି ଶ୍ରୀରାମଙ୍କ ଚରଣାରବିନ୍ଦରେ ନିଜକୁ ପ୍ରଣିପାତ କରି ସମର୍ପିତ କରିଥିବା ଦେଖିବାକୁ ମିଳିଥିଲା । ଆସିକା ସୁନାମ୍ବସାହି ଶ୍ରୀଶ୍ରୀ ରଘୁନାଥ ମନ୍ଦିରରେ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ବିଧିବିଧାନ ଅନୁଯାୟୀ ଏକ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବିଦ୍ୱାନ ପଣ୍ଡିତମାନେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ