ନିଜର ଦାଦା ପୁଅ ଭାଇକୁ ଅପହରଣ କରି ହତ୍ୟା
ପୋଲସରା (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ପ୍ରଥମ ଥର ପାଇଁ ଏକ ହୃଦୟ ବିଦାରକ ହତ୍ୟା ଘଟଣା ଘଟିଯାଇଛି। ବଡ଼ ବାପାର ପୁଅ ନିଜ ଦାଦାପୁଅ ଭାଇଙ୍କୁ ଅପହରଣ କରି ପରେ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଯୁବକ ଜଣକଙ୍କ ହେଲେ ପୋଲସରା ଥାନା ନୂଆଁ ତେନ୍ତୁଳିଆ ଗ୍ରାମର ପ୍ରକାଶ ସାହୁଙ୍କ ପୁଅ ରାଜଦୀପ ସାହୁ (୧୯)। ଅଭିଯୁକ୍ତ ଜଣଙ୍କ ହେଲେ ନୂଆଁ ତେନ୍ତୁଳିଆ ଗ୍ରାମର ମୃତକଙ୍କ ବଡବାପା ଦଣ୍ଡପାଣି ସାହୁଙ୍କ ପୁଅ ସୁବ୍ରତ ସାହୁ ଓରଫ କାଳିଆ(୨୨)। ପୋଲସରା ଥାନା ଅନ୍ତର୍ଗତ ନୂଆଁ ତେନ୍ତୁଳିଆ ଗ୍ରାମର ଦଣ୍ଡପାଣି ସାହୁ ଓ ପ୍ରକାଶ ସାହୁ ଦୁଇ ଭାଇ ଅଟନ୍ତି। ଦାଦାପୁଅ ସାନଭାଇ ମୃତକ ରାଜଦୀପଙ୍କୁ ବଡବାପାପୁଅ ଅଭିଯୁକ୍ତ ସୁବ୍ରତ ଅପହରଣ କରି ପରେ ହତ୍ୟା ଜରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ୧୬-୪-୨୦୨୬ ତାରିଖ ଅପରାହ୍ନ ସାଢ଼େ ୨ ଟା ସମୟରେ ମୃତକ ରାଜଦୀପ ନିଜ ଗ୍ରାମ ନୂଆଁ ତେନ୍ତୁଳିଆରେ ଥିବାବେଳେ ବଡବାପା ପୁଅ ଭାଇ ସୁବ୍ରତ ଓରଫ କାଳିଆ ଫୋନ କରି ପୋଲସରା ନିକଟସ୍ଥ ରାଣ୍ଡି ଘାଇ ନିକଟକୁ ଆସିଲେ ବ୍ୟାଙ୍କରୁ ୫ ଲକ୍ଷ ଉଠାଇ ଗ୍ରାମକୁ ନେବାବୋଲି କହିଥିଲା। ରାଜଦୀପ ରାଣ୍ଡି ଘାଇ ନିକଟରେ ପହଂଚିବା ପରେ ଉପସ୍ଥିତ ଥିବା ସୁବ୍ରତ ଓ ତାର ସହଯୋଗୀଙ୍କୁ ଭେଟିଥିଲା। ପୋଲସରାରେ ଗୋଟିଏ ଦିନରେ ଏତେ ଟଙ୍କା ଏଟିଏମରୁ ଉଠାଇବା ସମ୍ଭବ ନୁହେଁ, ତେଣୁ ବ୍ରହ୍ମପୁର ଯିବା ପାଇଁ ରାଜଦୀପଙ୍କୁ ସୁବ୍ରତ କହିଥିଲା। ରାଜଦୀପ ମଧ୍ଯ ନିଜ ବଡବାପା ପୁଅ ଭାଇ ସୁବ୍ରତ କଥାରେ ରାଜିହୋଇ ଧନେଇ ଡ୍ୟାମରୁ ୟମାହା ସ୍କୁଟି ଓଡି ୦୭ବିଡ଼ି ୯୪୦୧ ରେ କାଲିମେଘି ଦେଇ ବ୍ରହ୍ମପୁର ବାହାରିଥିଲେ। ଏପଟେ ସୁବ୍ରତର ସହଯୋଗୀ ରାଜଦୀପର ଗ୍ଲାମର ବାଇକ ନଂ ଓଡି ୦୭ଏସ ୫୩୨୯ କୁ ନେଇ ନିକଟସ୍ଥ ସାବିତ୍ରୀ ବଗଡ଼ କେନାଳରେ ପକାଇଦେଇଥିଲା। ଏଣେ ସୁବ୍ରତ, ରାଜଦୀପକୁ3 ବ୍ରହ୍ମପୁରର ଭଡାଘରକୁ ନେଇ ସେଠାରେ ତାର ତଣ୍ଟି ଚିପି ହତ୍ୟାକରି କରିଥିଲେ। ତାପରେ ସୁବ୍ରତ ଓ ତାର ସହଯୋଗୀ ରାଜଦୀପର ମୃତ ଶରୀରକୁ ଏକ ବ୍ୟାଗରେ ଭର୍ତ୍ତିକରି ସୋରଡ଼ା ଥାନା ନିକଟସ୍ଥ ସୋରଡ଼ା-ଦାରିଙ୍ଗବାଡି ଘାଟିରେ ଥିବା ସେଲ୍ଫି ପଏଣ୍ଟ ନିକଟରେ ଫୋପାଡ଼ି ଦେଇଥିଲେ। ପୋଲସରା ପୋଲିସ ଆଇଆଇସି କୌଶିକ ମାଝୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ମୃତକ ରାଜଦୀପ ସାହୁଙ୍କ ବାପା ପ୍ରକାଶ ଚନ୍ଦ୍ର ସାହୁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତିକରି ପୋଲସରା ଥାନା ପକ୍ଷରୁ କେଶ ନଂ ୨୧୪/୨୬ ପ୍ରକାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁବ୍ରତ ସାହୁକୁ ପୋଲସରାରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ବିଷୟରେ ଅଧିକ ଅନୁସନ୍ଧାନ ଜାରି ରହିଥିବା ଆଇଆଇସି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।


