ଥରଖାଦାନ ଚତୁର୍ଦ୍ଦିଗ ରେ ଖୋଳାଗଲା ଟ୍ରେଞ୍ଚ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ତହସିଲ ଅଧିନସ୍ଥ ଆଙ୍କୋରଡା ମୌଜା ଚୁଡଙ୍ଗପୁର ଷ୍ଟୋନ କ୍ରସର ନିକଟସ୍ଥ ବଡ଼ଢ଼ିମିରା ପାହାଡ଼ରେ ବେଆଇନ ଭାବେ ବ୍ଲାଷ୍ଟିଂ କରାଯାଇ ଲିଜ୍ ହୋଇନଥିବା ପଥର ଖାଦାନ ରୁ ପଥର ଉତ୍ତୋଳନ ଚାଲିଥିବା ଅଭିଯୋଗ ହେବା ପରେ ବ୍ରହ୍ମପୁର ଉପଜିଲାପାଳ ଅବିନାଶ କୁମାର ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,ଥାନା ଆଇଆଇସି କିଶୋର କୁମାର ସାମଲ,ଖଣି ଅଧିକାରୀ ରୋହନ ପଟ୍ଟନାୟକ ସଶସ୍ତ୍ର ଫୋର୍ସ ସହ ଉକ୍ତ ପାହାଡ଼ ଇଲାକାରେ ପହଞ୍ଚି ସରଜମିନ ତଦନ୍ତ କରିଥିଲେ। ପରେ ହିଟାଚି ମେସିନ ସହାୟତା ରେ ପାହାଡ ର ଚତୁର୍ଦ୍ଦିଗ ରେ ଟ୍ରେଞ୍ଚ୍ ଖୋଳା ଯାଇଥିଲା। ବୁଧବାର ପୁଣି ଥରେ ତହସିଲଦାର ଙ୍କ ତତ୍ତ୍ଵାବଧାନରେ ପାହାଡ଼ ଚାରିକଡ଼ ରେ ସିମେଣ୍ଟ ପିଲର ପୋତା ଯାଇ ବାରିକେଟ କରାଯାଇଛି। ସେଠାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା – ୧୬୩ ଜାରି କରାଯିବା ନିମନ୍ତେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଆବେଦନ କରାଯିବ ବୋଲି ତହସିଲଦାର କହିଛନ୍ତି। ସେହିପରି ଉକ୍ତ ପାହାଡ଼ କୁ ସର୍ବସାଧାରଣ କିମ୍ବା କୌଣସି ବ୍ୟବସାୟିକ ଅନୁଷ୍ଠାନ ର ସଦସ୍ୟ ଯିବାକୁ ବାରଣ କରାଯାଇଛି।ଏପରିକି ଷ୍ଟୋନ କ୍ରସର ମାଲିକ ଏବଂ କର୍ମଚାରୀ ମାନଙ୍କୁ ଏନେଇ ତାଗିଦ ମଧ୍ୟ କରାଯାଇଛି। ଉକ୍ତ ପଥର ଖାଦାନ ରୁ ପଥର ଉତ୍ତୋଳନ ପାଇଁ ରାଜସ୍ବ କିମ୍ବା ଖଣି ବିଭାଗ ପକ୍ଷରୁ କାହାରିକୁ କୌଣସି ପ୍ରକାର ଲିଜ୍ ଦିଆଯାଇନାହିଁ। ଉକ୍ତ ସ୍ଥାନରେ ପୂର୍ବରୁ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ଚାଲିଥିବା ତହସିଲଦାର ଚଢ଼ାଉ କରି ଏହାକୁ ବନ୍ଦ କରିଦେଇଥିଲେ । ତେବେ ପୁଣି ଗତ ୩ ତାରିଖରେ ଉକ୍ତ ପଥର ଖାଦାନ ରେ କିଛି ପଥର ମାଫିଆ ବେଆଇନ ଭାବେ ବ୍ଲାଷ୍ଟିଂ କରିଥିଲେ। ବ୍ଲାଷ୍ଟିଂ ର ତୀବ୍ରତା ଏତେ ଥିଲା ଯେ , ନିକଟସ୍ଥ ଆଙ୍କୋରଡ଼ା ଗ୍ରାମର କିଛି ବ୍ୟକ୍ତିଙ୍କ ଘର ଦୋହଲି ଉଠିବା ସହ ଅନେକ ବ୍ୟକ୍ତି ଙ୍କ କାନ୍ଥ ରେ ଲାଗିଥିବା ଟି.ଭି ଗୁଡ଼ିକ ଭାଙ୍ଗି ଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପ୍ରଭାବିତ ଲୋକେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ଏବଂ ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ଏନେଇ ଗ୍ରାମବାସୀ ବ୍ରହ୍ମପୁର ଉପଜିଲାପାଳ ଙ୍କ ନିକଟରେ ଅଭିଯୋଗ କରିବା ପରେ ଉପଜିଲାପାଳ ଏନେଇ ତଦନ୍ତ କରିବା ପାଇଁ ଦିଗପହଣ୍ଡି ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ ପ୍ରାୟ ୨୦ ବର୍ଷ ପୂର୍ବେ ଏଠାରେ ଜଣେ ବ୍ୟକ୍ତି ସରକାରଙ୍କ ଅନୁମତି କ୍ରମେ ଏକ ଷ୍ଟୋନ କ୍ରସର ୟୁନିଟ କରିଛନ୍ତି। ଗତ ୨୦୨୩ ରେ ଆଙ୍କୋରଡ଼ା ଗ୍ରାମ ଠାକୁରାଣୀ ଯାତ୍ରା କମିଟି ଯାତ୍ରା ଖର୍ଚ୍ଚ ପାଇଁ କ୍ରସର ମାଲିକ ଙ୍କ ଠାରୁ ୫ ଲକ୍ଷ ଟଙ୍କା ଚାନ୍ଦା ନେଇଥିଲେ।ସେହିପରି ଗତ ମେ ମାସରେ ଅନୁଷ୍ଠିତ ଠାକୁରାଣୀ ଯାତ୍ରା କମିଟି ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ଚାନ୍ଦା ଆଣିଥିଲେ। ଗତ ଶ୍ରୀ ଗଣେଶ ପୂଜା ସମୟରେ ଗାଁ ର ୨ ପ୍ରତିପକ୍ଷ ଯୁବଗୋଷ୍ଠୀ କ୍ରସର ମାଲିକ ଓ ମ୍ୟାନେଜର ଙ୍କୁ ପୂଜା ଚାନ୍ଦା ମାଗିବାରୁ ସେମାନେ ଚାନ୍ଦା ଦେଇନଥିଲେ। ଏହାକୁ କେନ୍ଦ୍ରକରି ଗ୍ରାମର ଏକ ନିର୍ଦ୍ଦିଷ୍ଟ ଯୁବଗୋଷ୍ଠୀ ଷ୍ଟୋନ୍ କ୍ରସର ୟୁନିଟ ବିରୋଧରେ ପଥର ବ୍ଲାଷ୍ଟିଂ ନେଇ ନିରାଧାର ଅଭିଯୋଗ କରିଥିବା କ୍ରସର ମାଲିକ ଜଣାଇଛନ୍ତି। ଅପରପକ୍ଷରେ ସେଠାରେ କ୍ରସର ୟୁନିଟ ପ୍ରତିଷ୍ଠା ପରଠାରୁ ନିୟମିତ ବ୍ୟବଧାନ ରେ ପଥର ବ୍ଲାଷ୍ଟିଂ ଯୋଗୁଁ ଗ୍ରାମରେ ଭୂମିକମ୍ପ ଭଳି ଘର ଗୁଡ଼ିକ ଦୋହଲୁଛି।ଅନେକ ବ୍ୟକ୍ତି ଙ୍କ କାନ୍ଥ ଓ ଛାତ ରେ ଫାଟ ସୃଷ୍ଟି ହୋଇଥିବା ନଜିର ରହିଛି।ଏପରିକି ବ୍ଲାଷ୍ଟିଂ ର ତୀବ୍ରତା ଏତେ ଯେ , ପଥର ଖଣ୍ଡ ଗାଁ ରେ ଆସି ପଡୁଛି।ଏପରିକି ଗାଁ ର ନବନିର୍ମିତ ଶୈବପୀଠ ର ଛାତ ଓ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ମନ୍ଦିର ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ କହିଛନ୍ତି। ପଥର ଗୁଣ୍ଡ ଚାଷ ଜମିରେ ପଡ଼ିବା ଯୋଗୁଁ ଅନେକ ଗ୍ରାମବାସୀ ଙ୍କ ଜମିରେ ଫସଲ ନଷ୍ଟ ହେଉଛି।ଅନେକ ସମୟରେ ବ୍ଲାଷ୍ଟିଂ ପ୍ରଭାବରେ ପଥର ଖଣ୍ଡ ସେଠାରୁ ଉଡ଼ି ଆସି ଗାଈ,ବଳଦ,ଛେଳି ଙ୍କ ଉପରେ ପଡ଼ି ଖଣ୍ଡିଆ ଖାବରା ହେଉଥିବା କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏତେ ସବୁ ସତ୍ତ୍ବେ କ୍ରସର ମାଲିକ ଙ୍କ ଠାରୁ ଗାଁ ଠାକୁରାଣୀ ଯାତ୍ରା, ଶିବରାତ୍ରୀ ଜାଗର ଯାତ୍ରା, ଗଣେଷ ପୂଜା ଭଳି ବିଭିନ୍ନ ପୂଜା ଉତ୍ସବ ପାଇଁ ଗ୍ରାମର କିଛି ବ୍ୟକ୍ତି ଚାନ୍ଦା ନାଁ ରେ ଲକ୍ଷାଧିକ ଟଙ୍କା ଆଣିବା ଅଯୌକ୍ତିକ ବୋଲି ଗ୍ରାମର କିଛି ବରିଷ୍ଠ ନେତୃବୃନ୍ଦ ତାଙ୍କ ପ୍ରତିକ୍ରିୟା ରେ ଜଣାଇଛନ୍ତି। କ୍ରସର ୟୁନିଟ କୁ ନେଇ ଗାଁ ରେ ଦୁଇ ଗୋଷ୍ଠୀ ମଧ୍ୟରେ ବାଦ ବିବାଦ ଲାଗିରହିଥିବା ବେଳେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଜନମତ କୁ ପ୍ରଭାବିତ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଗୋଷ୍ଠୀ କ୍ରସର ୟୁନିଟ ବିରୋଧରେ ଗ୍ରାମବାସୀ ଓ ଯୁବ ଗୋଷ୍ଠୀ ଙ୍କୁ ପ୍ରଭାବିତ ପାଇଁ ଉଦ୍ୟମ କରୁଥିବା ଜାଣିବାକୁ ମିଳିଛି ।


