ହତ୍ୟା ଉଦ୍ୟମ ଓ ଲୁଟ୍ ମାମଲା ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ନିକଟରେ ଏକ ଯାତ୍ରୀବାହି ଅଟୋକୁ ଅଟକାଇ ଦମ୍ପତ୍ତି ଙ୍କୁ ହତ୍ୟା ଉଦ୍ୟମ କରିବା ସହ ୨୨୦୦ ଟଙ୍କା ଲୁଟ୍ କରାଯାଇଥିବା ଘଟଣାରେ କେ. ନୂଆଗାଁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର ଅପରାହ୍ନ ରେ କୋର୍ଟ ଚାଲାଣ କରିଛନ୍ତି।ଅଭିଯୁକ୍ତ ମାନେ ହେଲେ ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ପଞ୍ଚାୟତ ଧାନରାଶି ଗ୍ରାମର ସାଗର ପ୍ରଧାନ(୨୬),ଏମ. ବାପି(୨୦), କାଳିଆ ଓରଫ କୃଷ୍ଣଚନ୍ଦ୍ର ପ୍ରଧାନ(୧୮)। ଥାନା ମାମଲା ନଂ.୨୭୯/୨୬ ବିଏନ୍ଏସ ର ଦଫା -୧୨୬(୨)/୨୯୬/୧୧୫(୨)/୧୦୯(୧)/୩୦୯(୬)୩୫୧(୩)/୩(୫) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ବୁଧବାର ବମୋକେଇ ଗ୍ରାମର ବିଷ୍ଣୁ ପ୍ରସାଦ ସେଠୀ ଓ ତାଙ୍କ ସ୍ତ୍ରୀ କାମନା ସେଠୀ ନିକଟସ୍ଥ ବେଲପଡ଼ା ଗ୍ରାମର ଜଣେ ବ୍ୟକ୍ତି ଙ୍କ ଜମିରେ ଧାନ ତଳି ରୋଇ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ଏକ ଅଟୋ ରେ ସନ୍ଧ୍ୟା ପ୍ରାୟ ୭ ଟାରେ ଗାଁ କୁ ଫେରୁଥିଲେ। କୁମରଡ଼ା – ବମୋକେଇ ଗାଁ ମଧ୍ୟବର୍ତ୍ତୀ ରାସ୍ତା ରେ ଅଭିଯୁକ୍ତ ମାନେ ଏକ କଳା ରଙ୍ଗର ବଜାଜ ପଲସର ବାଇକ (ନଂ.ଓଡି ୦୭ ଏଆର-୩୫୦୩) ଯୋଗେ ଆସି ଅଟୋ କୁ ରାସ୍ତାରେ ଅଟକାଇ ସମସ୍ତଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରି ଟଙ୍କା ମାଗିଥିଲେ।ବିଷ୍ଣୁ ପ୍ରସାଦ ଅଟୋ ରୁ ଓହ୍ଲାଇ ଆପତ୍ତି କରିବାରୁ ଜଣେ ଅଭିଯୁକ୍ତ ହାତରେ ପିନ୍ଧିଥିବା ଲୁହା ଖଡୁୁ ରେ ତାଙ୍କ ମୁଣ୍ଡ କୁ ମାଡ଼ ମାରିବାରୁ ମୁଣ୍ଡ ଫାଟି ରକ୍ତ ବାହାରିଲା।ଅଟୋ ଚାଳକ ପ୍ରତିବାଦ କରିବାରୁ ୩ ଅଭିଯୁକ୍ତ ତାଙ୍କୁ ଘେରି ଯାଇ ମାଡ଼ ମାରିଥିଲେ।ବିଷ୍ଣୁ ପ୍ରସାଦ ଙ୍କ ସ୍ତ୍ରୀ କାମନା ସ୍ବାମୀ ଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରିବାକୁ ଯିବାରୁ ସେମାନେ ତାଙ୍କୁ ମଧ୍ୟ ଟଣାଓଟରା କରି ମାଡ଼ ମାରିଥିଲେ।ଅନ୍ୟମାନେ ପାଟି କରିବାରୁ ସେମାନେ ସେଠାରୁ ବାଇକ ଯୋଗେ ଚମ୍ପଟ ମାରିଥିଲେ। ଅଟୋ ରେ ସମସ୍ତେ କେ.ନୂଆଗାଁ ଥାନାରେ ପହଞ୍ଚି ଉପସ୍ଥିତ ପୋଲିସ କର୍ମଚାରୀ ଙ୍କୁ ସମସ୍ତ ଘଟଣା କହିଥିଲେ।ଏନେଇ ବିଷ୍ଣୁ ପ୍ରସାଦ ଙ୍କ ସ୍ତ୍ରୀ କାମନା ଏତଲା ଦେଇଥିଲେ।ଏତଲା କୁ ଭିତ୍ତି କରି ଆଇଆଇସି ବିଶ୍ୱଜିତ ନାୟକ ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରି ଆହାତ ମାନଙ୍କୁ ଚିକିତ୍ସା ନିମନ୍ତେ ବୋମକେଇ ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ।ତଦନ୍ତକାରୀ ଅଧିକାରୀ ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଅତିଥି ଚରଣ ନାୟକ ଗୁରୁବାର ସକାଳ ପ୍ରାୟ ୯ ଟାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଲୁଟ୍ ରେ ବ୍ୟବହୃତ ବାଇକ,୧୧ ଶହ ଟଙ୍କା, ୩ ଟି ମୋବାଇଲ ଫୋନ୍, ହତ୍ୟା ଉଦ୍ୟମ ରେ ବ୍ୟବହୃତ ଲୁହାଖଡୁ,ଭଙ୍ଗା ଚୁଡ଼ିଖଣ୍ଡ ଜବତ କରିଥିବା ଜଣାପଡିଛି।


