ଅଣବସରେ ମହାପ୍ରଭୁଙ୍କ ପାଇଁ ବିଶ୍ଵାମିତ୍ର ପୀଠରୁ ଶ୍ରୀକ୍ଷେତ୍ରକୁ ଭକ୍ତିର ଫଳଭାର
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ସ୍ନାନ ପୂର୍ଣ୍ଣିମାର ପବିତ୍ର ଦିନରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପଡିଛନ୍ତି ଚତୁର୍ଦ୍ଧାମୂରତି। ଶ୍ରୀମନ୍ଦିର ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା। ପଥ୍ୟ ସହ ଭକ୍ତଙ୍କ ଭାବ ଆଉ ଭଲପାଇବା ହିଁ ଏବେ ତାଙ୍କର ମୁଖ୍ୟ ଔଷଧ। ଠିକ୍ ଏହି ସମୟରେ ଆଦ୍ୟ ଦାରୁ ଯେଉଁ ମାଟିରୁ ମିଳିଥିଲା ସେହି ପବିତ୍ର କାକଟପୁର ବିଶ୍ୱାମିତ୍ର ଆଶ୍ରମରୁ ରବିବାର ବାହାରିଛି ଭକ୍ତିର ଏକ ବିରାଟ ଫଳଭାର। ଅଣସର ଷଷ୍ଠ ଦିନରେ ମହାପ୍ରଭୁଙ୍କ ପାଇଁ ଏହି ମଧୁର ଉପହାର ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଯାଇଛି । ରବିବାର ପ୍ରତ୍ୟୁଷରୁ କାକଟପୁର ବିଶ୍ୱାମିତ୍ର ମଠ ପରିସର ଭକ୍ତି ମୟ ହୋଇଉଠିଥିଲା। ସ୍ଥାନୀୟ ରାଧାକାନ୍ତମଠ କରଞ୍ଜପୁର, ଅପସରା ପୀଠ ସରିପୁର ସମେତ କାକଟପୁର, ଚାରିଛକ ଓ ଅସ୍ତରଙ୍ଗ ଅଞ୍ଚଳର ଶହ ଶହ ଭକ୍ତ ନିଜ ବାଡି ବଗିଚାରେ ଫଳିଥିବା ଫଳକୁ ନେଇ ଏକାଠି ହୋଇଥିଲେ। ଆମ୍ବର ସୁଗନ୍ଧ, ପଣସର ମଧୁରତା, କଦଳୀର କୋମଳତା, ସପୁରି, ପିଜୁଳି, ଖଜୁରୀ ଆଉ ନଡିଆ ରେ ଭରିଯାଇଥିଲା ଗୋଟିଏ ସ୍ୱତନ୍ତ୍ର ଗାଡି। ହରିନାମ ସଂକୀର୍ତ୍ତନ ଆଉ ଶଙ୍ଖ ଘଣ୍ଟର ଧ୍ୱନି ମଝିରେ ସେହି ଫଳଭାର ଗାଡି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲା। ପ୍ରତ୍ୟେକ ଫଳ ମଧ୍ୟରେ ଲୁଚି ରହିଥିଲା ଜଣେ ଭକ୍ତର ପ୍ରାର୍ଥନା ଜଲ୍ଦି ସୁସ୍ଥ ହୁଅନ୍ତୁ ମହାପ୍ରଭୁ ।ଏହା କେବଳ ଗୋଟିଏ ପରମ୍ପରା ନୁହେଁ, ଏହା ହେଉଛି ପ୍ରାଚୀ ଅଞ୍ଚଳର ଆତ୍ମା ସହ ଶ୍ରୀକ୍ଷେତ୍ର ଯୋଡିହୋଇଛି । କାହିଁ କେତେ କାଳରୁ ଚାଲିଆସିଥିବା ଏହି ରୀତିକୁ ୧୯୯୨ ମସିହାରୁ ପୁନର୍ବାର ଜୀବନ୍ତ କରିଛନ୍ତି ସ୍ଥାନୀୟ ମଠ ଓ ଭକ୍ତ ସମାଜ। ପ୍ରତିବର୍ଷ ଅଣସରରେ ଏହି ଫଳଭାର ଯାତ୍ରା ଆଡମ୍ବର ସହ ଅନୁଷ୍ଠିତ ହୁଏ। ପ୍ରାଚୀ ସଂସ୍କୃତି ଗବେଷକ ତ୍ରିଲୋଚନ ମିଶ୍ର କହିଥିଲେ, ବିଶ୍ୱାମିତ୍ର ଆଶ୍ରମ ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତିର ଆଦି ଉତ୍ସ। ଏଠାରୁ ଯାଉଥିବା ପ୍ରତିଟି ଫଳ ମଧ୍ୟରେ ପ୍ରାଚୀ ଉପତ୍ୟକାର ମାଟିର ଗନ୍ଧ ମିଶି ରହିଛି। ଏହା ଭକ୍ତି ଆଉ ପରମ୍ପରାର ଜୀବନ୍ତ ସେତୁ। ଭକ୍ତମାନଙ୍କ କହିବା କଥା, ମହାପ୍ରଭୁ ଯେବେ ଜ୍ୱରରେ ଥାନ୍ତି ତେବେ ତାଙ୍କୁ ଫଳ ଆଉ ପଥ୍ୟ ଦେବା ନିତି। ତେଣୁ ଆଦ୍ୟ ଦାରୁକ୍ଷେତ୍ରୁ ଏହି ଫଳ ପଠାଇବା ଦ୍ୱାରା ମହାପ୍ରଭୁ ଶୀଘ୍ର ସୁସ୍ଥ ହୋଇ ନବଯୌବନ ବେଶରେ ରଥ ଉପରେ ଦର୍ଶନ ଦେବେ ବୋଲି ସମସ୍ତଙ୍କର ବିଶ୍ୱାସ। ଫଳଭାର ଯାତ୍ରାରେ ସ୍ଥାନୀୟ ମଠାଧୀଶ, ସେବାୟତ ଓ ଶହ ଶହ ଭକ୍ତ ଉପସ୍ଥିତ ଥିଲେ। ନାମ ସଂକୀର୍ତ୍ତନ ସହ ସମଗ୍ର ଅଞ୍ଚଳ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଥିଲା।ଆଜି ବି ପ୍ରମାଣିତ ହେଲା, ପ୍ରାଚୀର ମାଟି ଆଉ ଶ୍ରୀକ୍ଷେତ୍ର ସମ୍ପର୍କ କେବଳ ଭୌଗୋଳିକ ନୁହେଁ, ତାହା ହେଉଛି ହୃଦୟର, ଭକ୍ତିର ଆଉ ପରମ୍ପରାର।


