କାକଟପୁର-ଅସ୍ତରଙ୍ଗରେ ଝିପି ଝିପି ବର୍ଷା: ଖୁସିରେ ଚାଷୀ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ଗତ ଶନିବାର ଦିନ ସାରା ଦିନ ଧରି ହୋଇଥିବା ବର୍ଷା ଯୋଗୁଁ କାକଟପୁରେ ୧୨ ମିଲିମିଟର ଓ ଅସ୍ତରଙ୍ଗରେ ୩୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ରବିବାର ପୂର୍ବାହ୍ନରେ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିବା ସହ କିଛି ସମୟ ପାଇଁ ଝିପି ଝିପି ବର୍ଷା ହୋଇଥିଲା। ଲଗାଣ ବର୍ଷା ଯୋଗୁଁ ଅସ୍ତରଙ୍ଗ ବ୍ଲକର ତଳିଆ ଅଞ୍ଚଳରେ ଥିବା ଚାଷ ଜମିରେ ପାଣି ରହିଥିବାରୁ ଚାଷୀମାନେ ଏବେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଦୀର୍ଘଦିନ ଧରି ବର୍ଷା ଅଭାବରୁ ଚାଷ ଆରମ୍ଭ କରିପାରୁ ନଥିବା ଚାଷୀମାନେ ଏହି ବର୍ଷା ପରେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଅନ୍ୟପଟେ କାକଟପୁର ବ୍ଲକର ବାଙ୍ଗୁରିଗାଁ ଅଧୀନ ବାଣିଆଁ ଅଞ୍ଚଳରେ କିଛି ମାତ୍ରାରେ ଚାଷ ଜମିରେ ପାଣି ମାଡି ଯାଇଥିବାର ସୂଚନା ମିଳିଛି। ସେହିପରି ଏହି ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା କାଦୁଆ ନଦୀରେ ପାଣି ପୂର୍ବ ଅପେକ୍ଷା ଅଧିକ ପରିପୂର୍ଣ୍ଣ ହୋଇ ରହିଛି। ତେବେ ଏଯାଏଁ ନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପାଣିପାଗ ବିଭାଗ ସୂତ୍ରରୁ ସୂଚନା, ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଉପକୂଳ ଆଡକୁ ଅଗ୍ରସର ହୋଇପାରେ। ଫଳରେ ଆସୁଥିବା ୨-୩ ଦିନ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ମଧ୍ୟ ଅଶାନ୍ତ ରହିପାରେ। ତେଣୁ ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ବର୍ଷା ଯୋଗୁଁ ଜନଜୀବନ ସ୍ୱାଭାବିକ ରହିଥିଲେ ମଧ୍ୟ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ରହିଛି। ସ୍ଥାନୀୟ ତହସିଲଦାର କହିଛନ୍ତି, ପରିସ୍ଥିତି ଉପରେ ନଜର ରଖାଯାଇଛି। ଆବଶ୍ୟକ ପଡିଲେ ତୁରନ୍ତ ପଦକ୍ଷେପ ନିଆଯିବ। ଏପଟେ ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀମାନେ ହଳଚାଷ ଓ ଧାନ ରୁଆଁ ପାଇଁ ପ୍ରସ୍ତୁତ ହେଉଛନ୍ତି। ଅସ୍ତରଙ୍ଗର ଜଣେ ଚାଷୀ କହିଛନ୍ତି , ଏତେ ଦିନ ହେଲା ବର୍ଷା ନଥିଲା, ଜମି ଫାଟି ଯାଇଥିଲା। ଏବେ ପାଣି ପଶିବାରୁ ଆମେ ଚାଷ ଆରମ୍ଭ କରିଦେଇଛୁ। ଏଇ ବର୍ଷା ଆମ ପାଇଁ ବରଦାନ ସାଜିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ