ମା’ ଖମ୍ବେଶ୍ୱରୀଙ୍କ ବାର୍ଷିକ ବୈଶାଖୀ ଯାତ୍ରା ଉଦ୍ଯାପିତ
ଆସିକା (ୱାଇଏନ୍ଏସ୍): ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ରୂପେ ପରିଚିତା ଥିବା ଆସିକା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ବାର୍ଷିକ ବୈଶାଖୀ ଯାତ୍ରା ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ ରବିବାର ଉଦ୍ଯାପିତ ହୋଇଯାଇଛି । ଗତ ବୈଶାଖ ପୂର୍ଣ୍ଣିମା ଠାରୁ ପ୍ରତ୍ୟେକ ଦିନ ରାତ୍ରିରେ ମା’ ଖମ୍ବେଶ୍ୱରୀଙ୍କ ବିଜେ ପ୍ରତିମାକୁ ଖମ୍ବେଶ୍ୱରୀପାଟଣା, କୋର୍ଟଛକ, ବିନୋବାମାର୍ଗ, ଲକ୍ଷ୍ମୀବଜାର, ବସ୍ଷ୍ଟାଣ୍ଡ, ହରିହରନଗର ଦୈନିକ ପରିକ୍ରମା କରାଯିବା ପରେ ମଧ୍ୟରାତ୍ରରେ ଗମ୍ଭୀରାକୁ ମା’ଙ୍କୁ ବିଜେ କରାଯାଉଥିଲା । ଗତକାଲି ଶନିବାର ରାତ୍ରରେ ମା’ ଖମ୍ବେଶ୍ୱରୀଙ୍କ ବିଜେ ପ୍ରତିମାକୁ ସୁସଜ୍ଜିତ ସିଂହବାହିନୀ ପାଲିଙ୍କିରେ ଅଧୀଷ୍ଠିତ କରାଯାଇ ଏକ ବିରାଟ ପଟୁଆରରେ ବାଦ୍ୟବାଜଣା ସହକାରେ ମନ୍ଦିରରୁ ବାହାରି ଖମ୍ବେଶ୍ୱରୀ ପାଟଣା ସାହି ପରିକ୍ରମା କରିବା ପରେ ରବିବାର ଭୋର୍ ସମୟରୁ ପୌର ପରିଷଦ କାର୍ଯ୍ୟାଳୟ ନିକଟରେ ଅସ୍ଥାୟୀ ମଣ୍ଡପରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ଦିନତମାମ ଦର୍ଶନ ଦେଇଥିଲେ । ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରାର ଅନ୍ତିମ ଦିବସରେ ବିରାଟ ପଟୁଆର ଓ ଶୋଭାଯାତ୍ରା ସବୁଠାରୁ ଆକର୍ଷଣୀୟ ହୋଇଥିଲା । ମା’ଖମ୍ବେଶ୍ୱରୀଙ୍କ ଆଗମନ ସହିତ ସାହିବସ୍ତି ଉତ୍ସବ ମୁଖର ହୋଇ ପଡିଥିଲା । ଅସ୍ଥାୟୀ ପୀଠରେ ମା’ ଖମ୍ବେଶ୍ୱରୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗି ରହିଥିଲା ବେଳେ ସଂନ୍ଧ୍ୟାରେ ଆୟୋଜିତ ଆଳତୀ କାର୍ଯ୍ୟକ୍ରମରେ ବିପୁଳ ଜନ ସମାଗମ ହୋଇଥିଲା । ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଅବସରରେ ବହୁ ଆଧ୍ୟାତ୍ମିକପ୍ରେମୀ ଓ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ମା ଖମ୍ବେଶ୍ୱରୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଆସିକାବାସୀଙ୍କ ସୁଖସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ । ବୈଶାଖୀ ଯାତ୍ରା ଅବସରରେ ଅସ୍ଥାୟୀ ମଣ୍ଡପ ନିକଟରେ ଅନୁଷ୍ଠିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଂପାଦକ ସଚ୍ଚିଦାନନ୍ଦ ଖଟେଇ, ଯାତ୍ରା କମିଟି ସଭାପତି ନିମାଇଁ ଚରଣ ପାଣିଗ୍ରାହୀ, ମନ୍ଦିର ପୂଜକ ସନ୍ୟାସୀ ମୁନି, ସତ୍ୟ ନାରାୟଣ ମୁନି, ଶ୍ରୀକାନ୍ତ ମୁନି, ଗଣପତି ମୁନି, ମାଧବ ମୁନି, ସିମାଂଚଳ ମୁନି, ନରସିଂହ ମୁନି, ସଂଜୟ ମୁନି, ପ୍ରସନ୍ନ ମୁନି, କାଳିଆ ମୁନି, ସନ୍ତୋଷ ମୁନି, ପ୍ରମୋଦ କୁମାର ମୁନି, ନୀଳମାଧବ ମୁନି, ଅରବିନ୍ଦ ମୁନି, ବସନ୍ତ ମୁନି, ମୁନା ମୁନି, ଅଜିତ୍ କୁମାର ମୁନି, ରାଜୀବ ମୁନି, ଦୀପକ ମୁନି, ଟୁଲୁ ମୁନି, ଚିଙ୍କୁ ମୁନି, ଅବିନାଶ ମୁନି, ଭିକା ମୁନି, ବାବୁଲା ମୁନି, ଢେଲା ମୁନିଙ୍କ ସମେତ ସମସ୍ତ ପୂଜକ, ସାହିବାସିନ୍ଦା, ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା, ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ଓ ଶ୍ରଦ୍ଧାଳୁ ଭକ୍ତ ମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଉପଲକ୍ଷେ ରବିବାର ଖମ୍ବେଶ୍ୱରୀପାଟଣା, କୁମ୍ଭାର ସାହି, ବିନାୟକ ବଜାର, ବାଣିବିହାର ତଥା ଏହାର ଆଖପାଖ ଅଞ୍ଚଳ ଉତ୍ସବ ମୁଖର ହୋଇପଡିଥିଲା ବେଳେ ବିଭିନ୍ନ ସ୍ଥାନରେ ପୌରାଣିକ ନାଟକ ଓ ସାମାଜିକ ନାଟକ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବିଭିନ୍ନ ସାହିବସ୍ତିରେ ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ସୋମବାର ପୂର୍ବାହ୍ନରେ ମା’ ଖମ୍ବେଶ୍ୱରୀଙ୍କ ବିଜେ ପ୍ରତିମା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ମା’ଖମ୍ବେଶ୍ୱରୀ ମନ୍ଦିର ପରିଚାଳନା କମିଟିର ସଂପାଦକ ସଚ୍ଚିଦାନନ୍ଦ ଖଟେଇ, ଯାତ୍ରା ପରିଚାଳନା କମିଟି ସଭାପତି ନିମାଇଁ ଚରଣ ପାଣିଗ୍ରାହୀ, ଆଧ୍ୟାତ୍ମିକ ପ୍ରେମୀ ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ରଂଜନ କୁମାର ପଣ୍ଡା, ପିଣ୍ଟୁ ପ୍ରଧାନ, ମହେଶ୍ୱର ଜେନା, ଅଜୁ ବେହେରା, ରାମହରି ଚୌଧୁରୀ, ଶୁଭମ୍ ନାହାକ, ମୈତ୍ର ଦାଶ, ଦୀପୁନ୍ ପାଢୀଙ୍କ ସମେତ ମା’ଖମ୍ବେଶ୍ୱରୀଙ୍କ ସମସ୍ତ ପୂଜକ, ଶ୍ରଦ୍ଧାଳୁ ଭକ୍ତ, ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଓ ସାହିବାସିନ୍ଦା ଏହି ବାର୍ଷିକ ଯାତ୍ରାକୁ ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ଏବଂ ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିଲା । ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ଅବସରରେ ପୌର ପରିଷଦ କାର୍ଯ୍ୟାଳୟ ନିକଟରେ ସ୍ଥାପିତ ହୋଇଥିବା ଅସ୍ଥାୟୀ ମଣ୍ଡପରେ ମା’ ଖମ୍ବେଶ୍ୱରୀଙ୍କୁ ଦର୍ଶନ କରିବାକୁ ଦିନତମାମ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା । ଶ୍ରଦ୍ଧାଳୁ ମହିଳା ମାନଙ୍କ ହୁଳହୁଳି ଧ୍ୱନୀରେ ଅସ୍ଥାୟୀ ମଣ୍ଡପ ପରିବେଶ ଉତ୍ସବ ମୁଖର ହୋଇପଡିଥିବା ବେଳେ ଭକ୍ତଙ୍କ ଗହଣରେ ପୂଜାପାଉଥିବା କରୁଣାମୟୀ ମା’ଖମ୍ବେଶ୍ୱରୀଙ୍କ କରୁଣା ଲାଭ କରିବା ପାଇଁ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା।


