ସ୍ୱାମୀ କୃଷ୍ଣାନନ୍ଦଙ୍କ ଜୟନ୍ତୀ

ଆସିକା  (ୱାଇଏନ୍‍ଏସ୍‍): ସ୍ଥାନୀୟ ବସ୍‌ଷ୍ଟାଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ଆସିକା ଦିବ୍ୟ ଜିଲ୍ଲା ପକ୍ଷରୁ ବିଶିଷ୍ଟ ବେଦାନ୍ତ ବିଶାରଦ ସ୍ୱାମୀ କୃଷ୍ଣାନନ୍ଦ ସରସ୍ୱତୀଙ୍କ ୧୦୪ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ଦିବ୍ୟଜୀବନ ସଂଘ ଆସିକା ଶାଖାର ସଭାପତି ବିଜୟ କୁମାର ଦାଶ ଓ ସଂପାଦକ ରମେଶ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦିବ୍ୟଜୀବନ ସଂଘ ଦକ୍ଷିଣ ଓଡିଶା ସମନ୍ୱୟ ସମ୍ମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ଯୋଗଦେଇ ଅନ୍ତଃରାଷ୍ଟ୍ରୀୟ ଦିବ୍ୟଜୀବନ ସଂଘ ଋଷିକେଶର ପ୍ରାକ୍ତନ ସାଧାରଣ ସଂପାଦକ ସ୍ୱାମୀ କୃଷ୍ଣାନନ୍ଦ ସରସ୍ୱତୀ ମହାରାଜଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରି ତାଙ୍କର ଜୀବନୀ, ବାଣୀ, ଆଦର୍ଶ, ଉପଦେଶ ଓ ଆଧ୍ୟାତ୍ମିକ ପଥ ଉପରେ ଆଲୋକପାତ କରି ସେବା, ପ୍ରେମ, ଦାନ, ଧ୍ୟାନ, ପବିତ୍ରତା ମାଧ୍ୟମରେ ସ୍ୱାମୀ କୃଷ୍ଣାନନ୍ଦ ସରସ୍ୱତୀ ମହାରାଜଙ୍କ ବାଣୀଙ୍କୁ ଭକ୍ତମାନେ ଦୈନନ୍ଦିନ ଜୀବନରେ ପାଳନ କରିବା ସହ ଦୁଃଖୀ, ଗରିବଙ୍କୁ ସାହାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ଆଧ୍ୟାତ୍ମିକ ବାର୍ତ୍ତା ଓ ଚିନ୍ତନ ଦ୍ୱାରା ସମାଜର ଓ ଆଧ୍ୟାତ୍ମିକ ସାଧନା ଦ୍ୱାରା ମନୁଷ୍ୟର ପରିବର୍ତ୍ତନ ସମ୍ଭବ ହୋଇଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତମାନେ ସ୍ୱାମୀ କୃଷ୍ଣାନନ୍ଦ ସରସ୍ୱତୀ ମହାରାଜ ଯେଉଁ ଉପଦେଶ ଓ ଦିଗ୍‌ଦର୍ଶନ ଦେଇ ଯାଇଛନ୍ତି ତାହାକୁ ଯୁବପିଢୀ ଓ ସଚେତନ ନାଗରିକ ମାନେ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଆସିକା ଦିବ୍ୟଜୀବନ ସଂଘ ପକ୍ଷରୁ ବିଶିଷ୍ଟ ବେଦାନ୍ତ ବିଶାରଦ ସ୍ୱାମୀ କୃଷ୍ଣାନନ୍ଦ ସରସ୍ୱତୀଙ୍କ ୧୦୪ତମ ଜନ୍ମଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ କେ.ମନମୋହନ ସେନାପତି, ଭାସ୍କର ଆଚାରୀ, ବାଲରାଜୁ ଆଚାରୀ, ଟୁନା ଆଚାରୀ, ଗଣେଶ ଆଚାରୀ, ସୁଧାଂଶୁ କୁମାର ପଣ୍ଡା, ତ୍ରିଲୋଚନ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ମହାରଣା, ଅଶ୍ୱିନୀ କୁମାର ବିଷୋୟୀ, ଦିଲୀପ କୁମାର ଗୌଡ, ବି.ଶଙ୍କର ନାରାୟଣ ପାତ୍ର, ବିଦେଶୀ ପାତ୍ର, ବିଜୟ କୁମାର ସାସମଲ, ଲକ୍ଷ୍ମୀ ନାରାୟଣ ଆଚାରୀ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ବିଶିଷ୍ଠ ସନ୍ଥ, ଯୋଗୀ, ବେଦାନ୍ତ ବିଶାରଦ, ଦାର୍ଶନିକ ସ୍ୱାମୀ କୃଷ୍ଣାନନ୍ଦ ସରସ୍ୱତୀ ୧୯୧୧ ମସିହା ଏପ୍ରିଲ ମାସ ୨୫ ତାରିଖରେ କର୍ଣ୍ଣାଟକର ପୁଟୁର୍‍ ଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲା ବେଳେ ସେ ପିଲାଟି ଦିନରୁ ଅତ୍ୟନ୍ତ ମେଧାବୀ ଥିଲେ ଏବଂ ସଂସ୍କୃତ ଭାଷାରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା । ଏପରିକି ସେ ଭାଗବତ୍‍ ଗୀତା ଓ ଅନ୍ୟାନ୍ୟ ପୁରାଣଶାସ୍ତ୍ର ଗୁଡିକୁ କଣ୍ଠସ୍ଥ କରିପାରିଥିଲେ । ୧୯୪୪ ମସିହାରେ ସେ ହିମାଳୟରେ ତପସ୍ୟା ଓ ଭଗବାନଙ୍କ ଦର୍ଶନ ପାଇଁ ଗୃହତ୍ୟାଗ କରି ଋଷିକେଶ ଚାଲିଯାଇଥିଲେ ଓ ସେଠାରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଦୀକ୍ଷିତ ହୋଇ ସନ୍ୟାସ ଧର୍ମ ଗ୍ରହଣ କରିଥିଲେ । ୧୯୫୮ ମସିହାରୁ ୨୦୦୧ ମସିହା ପର୍ଯ୍ୟନ୍ତ ଦିବ୍ୟଜୀବନ ସଂଘ ଋଷିକେଶ ସ୍ଥିତ ମୁଖ୍ୟାଳୟର ସାଧାରଣ ସଂପାଦକ ପଦବୀରେ ରହିବା ସାଙ୍ଗକୁ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଦି ଲାଇନ୍‍ ମାଗାଜିନ୍‍ର ସଂପାଦକ ରୂପେ କାର୍ଯ୍ୟ କରିଥିଲେ । ଏପରିକି ଯୋଗ, ବେଦାନ୍ତ ଓ ଦର୍ଶନ ଉପରେ ଆଧାରିତ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ପୁସ୍ତକ ସେ ରଚନା କରି ଯାଇଥିଲେ ବୋଲି ଦିବ୍ୟଜୀବନ ସଂଘ ଦକ୍ଷିଣ ଓଡିଶା ସମନ୍ୱୟ ସମ୍ମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ