ଆକର୍ଷଣ ହରାଉଛି ଆସିକାର ଅତି ପୁରାତନ କୋରୋନେସନ୍‍ ପାର୍କ: ଛିଣ୍ଡିଗଲାଣି ଦୋଳି, ଚାଲୁନି ୱାଟର୍‍ ଫାଉଣ୍ଟେନ୍‍

ଆସିକା (ୱାଇଏନ୍‍ଏସ୍‍) : ଆସିକା ସହରର ୧୩ ନମ୍ବର ୱାର୍ଡର ହାଟପଦା ନିକଟରେ ଥିବା ଅତି ପୁରାତନ କୋରୋନେସନ୍‍ ପାର୍କ ବିଗତ କିଛି ମାସ ହେଲା ନାନା ଅବ୍ୟବସ୍ଥା ଘେରରେ ପରିଚାଳିତ ହେଉଥିବା ଆଲୋଚିତ ହେଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରିି ସାଧାରଣ ଜନତା ପ୍ରତ୍ୟେକ ଦିନ ସନ୍ଧ୍ୟାରେ କିଛି ସମୟ ବିତାଇବାକୁ ଏହି କୋରୋନେସନ୍‍ ପାର୍କ ଉପରେ ନିର୍ଭର କରୁଛନ୍ତି । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା କୋରୋନେସନ୍‍ ପାର୍କରେ ୫ ବର୍ଷରୁ କମ୍‍ ପିଲାଙ୍କ ପାଇଁ ୫ ଟଙ୍କା ଓ ୫ ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କ ପାଇଁ ୧୦ ଟଙ୍କା ପ୍ରବେଶ ଶୁଳ୍କ ନିଆଯାଉଛି । ସହରର କେନ୍ଦ୍ରସ୍ଥଳରେ ଏହି ପାର୍କ ଥିବାରୁ ସଂଜ ନଇଁଲେ ବହୁମାତ୍ରାରେ ଆଗ୍ରହୀ ବ୍ୟକ୍ତି ନିଜ ନିଜ ପରିବାର ସହ ଆସି କିଛି ସମୟ ବିତାଇଥାନ୍ତି । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ବିଗତ କିଛି ମାସ ହେଲା କୋରୋନେସନ୍‍ ପାର୍କ ପରିସରରେ ଥିବା କେତୋଟି ଲୁହାଦୋଳି ଛିଣ୍ଡିଯାଇଥିଲା ବେଳେ ୱାଟର୍‍ ଫାଉଣ୍ଟେନ୍‍ ଅଚଳ ହୋଇପଡିଥିଲେ ମଧ୍ୟ ତାହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଆସିକା ଏନ୍‍ଏସି କର୍ତ୍ତୃପକ୍ଷ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ ଲାଇଟ୍‍ ବୋର୍ଡ ଓ ପାଚେରୀ ସୌନ୍ଦର୍ଯ୍ୟକରଣ ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଥିଲା ବେଳେ ଅତି ପୁରାତନ କୋରୋନେସନ୍‍ ପାର୍କରେ ଲାଗି ରହିଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ଆଖି ବୁଜିଦେଇଥିବା ଯୋଗୁଁ ସଚେତନ ନାଗରିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । କୋରୋନେସନ୍‍ ପାର୍କ ପରିସରରେ ପୂର୍ବ ପରି ସମସ୍ତ ରଙ୍ଗବେରଙ୍ଗର ଲାଇଟ୍‍ ସବୁଗୁଡିକ ଜଳୁନଥିବା ବେଳେ ସନ୍ଧ୍ୟା ସମୟରେ ମଶାଙ୍କ ଦୌରାତ୍ମ୍ୟ ବୁଲିବାକୁ ଆସୁଥିବା ଲୋକଙ୍କୁ କଲବଲ ମଧ୍ୟ କରିପକାଉଥିବା ଅଭିଯୋଗ ହେଉଛି । ଆସିକା ସହରବାସୀଙ୍କ ଚିତ୍ତବିନୋଦନ ପାଇଁ ରାଜ୍ୟ ସରକାରଙ୍କ ଗୃôହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା କୋରୋନେସନ୍‍ ପାର୍କକୁ ଗତ ୨୦୨୧ ମସିହା ଅଗଷ୍ଟ ମାସ ୩୧ ତାରିଖରେ ଲୋକାର୍ପଣ କରାଯାଇଥିଲା । ସେତେବେଳେ ପାର୍କ ପରିସରରେ ଲାଗିଥିବା ଉଜ୍ଜଳ ରଙ୍ଗବେରଙ୍ଗର ଆଲୋକିକରଣ ବ୍ୟବସ୍ଥା ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାଙ୍କ ପାଇଁ ଦୋଳି, ଖସଡା, ବୟସ୍କଙ୍କ ପାଇଁ ବ୍ୟାଞ୍ଚ, ବ୍ୟାୟାମ ପାଇଁ ଉପକରଣ ଓ ସୁନ୍ଦର ସୁନ୍ଦର ଔଷଧୀୟ ଛାୟ ପ୍ରଦାନକାରୀ ଗଛଲତା ଏବଂ ଏହାର ପରିବେଶ ସାଧାରଣ ଜନତାଙ୍କୁ ଆକର୍ଷଣ କରୁଥିଲା । ତେବେ ବିଗତ କିଛି ମାସ ହେଲା ଏହି ପାର୍କର ଅବସ୍ଥା ଶୋଚନୀୟ ହୋଇପଡିଥିବା ଯୋଗୁଁ ଆଗଭଳି ଲୋକଙ୍କ ଭିଡ ଦେଖିବାକୁ ମିଳୁନାହିଁ । ପାର୍କ ପରିସର ପ୍ରାୟତଃ ଜନଶୂନ୍ୟ ରହୁଛି । ଆସିକାର ସର୍ବପୁରାତନ କୋରୋନେସନ୍‍ ପାର୍କରେ ଲାଗିରହିଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ଏନ୍‍ଏସି କର୍ତ୍ତୃପକ୍ଷଙ୍କ ନିଘା ନାହିଁ ବୋଲି କେତେକ ମହଲରେ ମତ ପ୍ରକାଶ ପାଉଛି । ବିଗତ କିଛି ମାସ ତଳେ ଆସିକା ଏନ୍‍ଏସି ପକ୍ଷରୁ ଏହି ପାର୍କର ପରିଚାଳନା ଦାୟିତ୍ୱ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରଦାନ କରାଯାଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ପୁଣି ଉକ୍ତ ଏସ୍‍ଏଚ୍‍ଜି ଗୋଷ୍ଠୀ ଠାରୁ ପରିଚାଳନା ଦାୟିତ୍ୱ ହଠାତ୍‍ ବାତିଲ୍‍ କରାଗଲା ତାହା ବି ତଦନ୍ତସାପେକ୍ଷ । ଜିଲ୍ଲା ପ୍ରଶାସନ ତଥା ôଗୃହ ଓ ନଗର ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ସହରର ସର୍ବପୁରାତନ କୋରୋନେସନ୍‍ ପାର୍କରେ ଲାଗିରହିଥିବା ସମସ୍ୟାକୁ ସମାଧାନ କରିବା ସାଙ୍ଗକୁ ଏହି ପାର୍କ ଯେପରି ପୂର୍ବଭଳି ଜନସାଧାରଣଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ