ବଢୁଛି ବୈତରଣୀ, ବନ୍ୟା ଆଶଙ୍କାରେ ତଳୁ ଲଆ ଅଞ୍ଚଳ ବାସୀ

ହାଟଡିହି (ଓ୍ବାଇଏନଏସ): ଉପର ମୁଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଯୋଗୁ  ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଘଣ୍ଟାକୁ ଘଣ୍ଟା ଜଳ ସ୍ଥର ବଢୁଥିବାରୁ ତଳିଆ ଅଞ୍ଚଳର ଲୋକମାନେ ବନ୍ୟା ଆଶଙ୍କାରେ ଅଛନ୍ତି। ଆଜି ସକାଳ ସୁଧା ହାଟଡିହି ଅଞ୍ଚଳରେ ୧୬୧.୦୧ ମିଲିମିଟର ବର୍ଷା ହୋଇଥିବାରୁ ବିଭିନ୍ନ ପଞ୍ଚାୟତର ଚାଷ ଜମି ଜଳମଗ୍ନ ହୋଇଛି।  ବ୍ଲକର ବଞ୍ଚୋ, ଅକରୁଆ, ଶାସଙ୍ଗ, ପଞ୍ଚୁଗୋଛିଆ, ସୁଲଣ, ବଡ଼ରମ୍ପାସ, ହାଟଡିହି, ମରେଇଗାଁ, ପନ୍ଦାଡୋ, ସଢ଼ା, ଓରାଳି ଆଦି ପଞ୍ଚାୟତରେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହିତ ଧାନ ଚାଷ ପ୍ରଭାବିତ ହୋଇଛି। ବିଭିନ୍ନ ସ୍କୁଲରେ ବର୍ଷା ପାଣି ପସିଥିବା ସୂଚନା ମିଳିଛି। ସମଣାରେ କୁଳମଣି କାଣ୍ଡି ଙ୍କ ଚାଳଘର ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ବୈତରଣୀରେ ଯେପରି ଜଳସ୍ତର ବୃଦ୍ଧି ପାଉଛି ଯଦି ଏପରି ବୃଦ୍ଧିପାଏ ତେବେ ରାତି ଭିତରେ ରାଘବପୁର, ଆଇତିପୂର୍, ନୂଆଗାଁ, ଅମୃତପୁର, ସାହାପୁର, ରତକଣା, ସମଣା, କରଗୋଳା, ଲଇଛଣପୁର, ଆମ୍ବୋ, ବହାରିପୂର ଆଦି ଗ୍ରାମରେ ପାଣି ପଶିବାର ସମ୍ଭାବନା ଦେଖାଦେଇଛି। ବିଶେଷକରି ସମଣା ଠାରୁ ଆମ୍ବୋ ଏବଂ ହାବଳେଶ୍ୱର ଠାରୁ ରାଘବପୁର ପର୍ଯ୍ୟନ୍ତ ବୈତରଣୀ ନଦୀର ଆଡିବନ୍ଧ ନଥିବାରୁ ଏପରି ଆଶଙ୍କା ଦେଖାଦେଇଛି। ଏହି ମୁକୁଳା ନଦୀବନ୍ଧ ଦେଇ  ବୈତରଣୀର ବନ୍ୟାଜଳ ପସି ବ୍ୟାପକ ଅଞ୍ଚଳ ଜଳମଗ୍ନ କରିବାର ଆଶଙ୍କା ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ଆଜି ହାଟଡିହି ବିଡ଼ିଓ, ତହସିଲଦାର ପ୍ରମୁଖ ବିଭିନ୍ନ ଅଞ୍ଚଳ ଗ୍ରସ୍ଥ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ବନ୍ୟା ପ୍ରଭାବିତ ଆଶଙ୍କାରେ ଆମ୍ବୋ, ସମଣା, ହାବଳେଶ୍ଵର, ଆଇତିପୂର୍, ଗେଡମା ଆଦି ପଞ୍ଚାୟତରେ  ବ୍ଲକର ଯନ୍ତ୍ରୀ, ରାଜସ୍ବ ନିରୀକ୍ଷକ, ପିଇଓ, ଏଡିଓ ମାନଙ୍କୁ ସଜାଗ ରହି ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି ବୋଲି ବିଡ଼ିଓ ରଞ୍ଜନ କୁମାର ପରିଡା, ତହସିଲଦାର ସଞ୍ଜୟ ସାମନ୍ତରାୟ କହିଛନ୍ତି। ସମସ୍ତ ସମ୍ଭାବ୍ୟ ବନ୍ୟା ପ୍ଲାବିତ ଅଞ୍ଚଳରେ ରିଲିଫ ସାମଗ୍ରୀ ଗଛିତ ରଖାଯାଇଛି ବୋଲି ବିଡ଼ିଓ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ