ବାଲିଆପାଳର ଚଉମୁଖ-ଡଗରାକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକାଶ ଦାବିରେ ଗଣଧାରଣା
ବାଲେଶ୍ୱର,(ସରୋଜ ପଣ୍ଡା): ଗତ ୧୯୯୮ ମସିହା ଠାରୁ ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବାଲିଆପାଳର ଚଉମୁଖ-ଡଗରାକୁ ପର୍ଯ୍ୟଟନ କ୍ଷେତ୍ର ରୂପେ ତୁରନ୍ତ ବିକାଶ କରାଯାଉ ବୋଲି ଦାବିକରି ସେଇ ଅଞ୍ଚଳର ଶତାଧିକ ନରନାରୀ ବୁଧବାର ଦିନ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା ଦେଇଥିଲେ। ଏହି ଧାରଣାସ୍ଥଳ ସଭାରେ ଉପକୂଳ ଭିଟାମାଟି ସୁରକ୍ଷା କମିଟିର ସଭାପତି ସୁବାସ ଚୌଧୁରୀ ଅଧ୍ୟକ୍ଷତା କରିଥିଲେ। ଉକ୍ତ ଗଣଧାରଣା ସ୍ଥଳରେ ବିଭିନ୍ନ ରାଜନୈତିକ ଦଳ ତଥା ଗଣ ସଂଗଠନର ନେତୃବୃନ୍ଦ ଉଦ୍ବୋଧନ ଦେଇ କହିଥିଲେ କି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଚିଠି ନଂ ୨୦୪୦/୭୫ ତା ୨୬-୦୨-୧୯୯୮ ରିଖ ମାଧ୍ୟମରେ ଚଉମୁଖ-ଡଗରା ବେଳାଭୂମିକୁ ଏକ ପର୍ଯ୍ୟଟନ କ୍ଷେତ୍ରଭାବେ ସ୍ୱୀକୃତି ଦେଇଥିଲାବେଳେ ଦୀର୍ଘବର୍ଷ ଧରି ଏଥିପାଇଁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ବକ୍ତାମାନେ ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ବିସ୍ତୀର୍ଣ୍ଣ ବେଳାଭୂମି, ଝାଉଁ ଓ ହେନ୍ତାଳ ବଣର ମନୋରମ ପ୍ରାକୃତିକ ସବୁଜିମା, ଜୈବ ବିବିଧତା, ନାଲି ଓ ନୀଳରକ୍ତ କଙ୍କଡ଼ାର ଚାରଣଭୂଇଁ ଏବଂ ବିରଳ ଅଲିଭ୍ ରିଡ଼୍ଲେ କଇଁଚଙ୍କ ଅଣ୍ଡାଦେବା ସ୍ଥଳୀ ହୋଇଥିବାରୁ ଏହି ଅଞ୍ଚଳ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। କିନ୍ତୁ ଅତୀତ ଓ ବର୍ତ୍ତମାନର ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ପାଇଁ ଦୀର୍ଘବର୍ଷ ଧରି ଏହା ଅବହେଳିତ ହୋଇ ଏବଂ ଘୋଷଣାସର୍ବସ୍ୱ ହୋଇ ରହିଛି। ଏହି ଅଞ୍ଚଳର ବିକାଶ ହେଲେ ସ୍ଥାନୀୟ ଅଧିବାସୀ ଓ ରାଜ୍ୟ ସରକାରଙ୍କର ଆର୍ଥିକ ସମ୍ବଳ ବୃଦ୍ଧି ପାଇବ ବୋଲି ସେମାନେ କହିଥିଲେ। ଗତ ୨୦୨୪ ଡିସେମ୍ବର ୧୭ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ଜନଶୁଣାଣିର ବିବରଣୀ ପ୍ରକାଶ ପାଇଁ ସେମାନେ ଦାବି କରିଥିଲେ।
ଧାରଣାସ୍ଥଳରୁ ଅନୁଜ ମହାପାତ୍ର, ନାରାୟଣ ଖଟୁଆ, ଅନୁପ ମହାନ୍ତି, କନକଲତା ଦେ, କୁନି ମଣ୍ଡଳ, ଜୟନ୍ତୀ ଖଟୁଆ ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରବିକାଶଙ୍କୁ ସାକ୍ଷାତ କରି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଚଉମୁଖ-ଡଗରା ଅଞ୍ଚଳକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ପର୍ଯ୍ୟଟନ କ୍ଷେତ୍ରଭାବେ ବିକାଶ କରିବାକୁ ସେମାନେ ଦାବି କରିଥିଲେ। ଏତଦ୍ଭିନ୍ନ ସୁବର୍ଣ୍ଣରେଖା ନଦୀଗର୍ଭରେ ଲୀନ ହୋଇଯାଉଥିବା ଅଞ୍ଚଳକୁ ରକ୍ଷା କରିବା ପାଇଁ ପଥରବନ୍ଧ ପାଇଁ ସେମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ଏହି ଗଣଧାରଣାରେ ଉପକୂଳ ଭିଟାମାଟି ସୁରକ୍ଷା କମିଟିର ଉପସଭାପତି ରମଣୀ ରଞ୍ଜନ ମଣ୍ଡଳ ଓ ଲକ୍ଷ୍ମୀକାନ୍ତ ଖଟୁଆ, କମିଟିର ଆବାହକ ଅରୁଣ ଜେନା, ଚଉମୁଖ ଗ୍ରାମବାସୀଙ୍କ ପକ୍ଷରୁ ରାଜେଶ ଚୌଧୁରୀ ଓ କୁଶଧ୍ୱଜ ଜେନା ପ୍ରମୁଖଙ୍କ ସମେତ ସି.ପି.ଆଇର ଜିଲ୍ଲା ସଂପାଦକ ଭାଗବତ ପ୍ରତିହାରୀ, ସି.ପି.ଆଇ(ଏମ୍)ର ଜିଲ୍ଲା ସଂପାଦକ ଶିଶିର ହୁଇ ଓ ନିର୍ମଳ ନାୟକ, ଏସ୍.ୟୁ.ସି.ଆଇର ଯୁବନେତା ପ୍ରଶାନ୍ତ ଦାସ, କଂଗ୍ରେସର ନେତା ବିଜନ ନାୟକ, ବିଜେଡ଼ି ନେତା ମନ୍ମଥ ଗିରି, ଅଲ୍ ଇଣ୍ଡିଆ ଫରୱାଡ଼୍ ବ୍ଲକ୍ର ଜିଲ୍ଲା ସଂପାଦକ ଲକ୍ଷ୍ମୀଧର ଗିରି, ଜେ.ଏମ୍.ଏମ୍ ଜିଲ୍ଲା ସଭାପତି କମଳଲୋଚନ ବାରିକ, ବାଲେଶ୍ୱର ଓକିଲ ସଂଘର ସଭାପତି ମନୋଜ ନାୟକ, ଆଇନଜୀବୀ ନିରଞ୍ଜନ ପରିଡ଼ା, ସେକ୍ ଇସ୍ଲାମ୍ ଓ ତୁଷାରକାନ୍ତି ମହାପାତ୍ର, ବର୍ଷୀୟାନ୍ ବାମପନ୍ଥୀ ନେତା ଗୌରାଙ୍ଗ ପାଣିଗ୍ରାହୀ, ଶ୍ରମିକନେତା ଶ୍ୟାମସୁନ୍ଦର ଜେନା, ସାମାଜିକ କର୍ମୀ ସାଧୁ ମଲ୍ଲିକ୍, କମଳାକାନ୍ତ ଜେନା, ବିନୋଦ କର, ତପନ ଜେନା, କାର୍ତ୍ତିକ ପାତ୍ର, କାହ୍ନୁଚରଣ ବିଶ୍ୱାଳ ଓ ଶୁକଦେବ ମଣ୍ଡଳ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସ୍ଥାନୀୟ ଅଞ୍ଚଳର ବିକାଶ ଦିଗରେ ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ।


