ଆଧ୍ୟାତ୍ମିକ ପରିବେଶରେ ପାଳିତ ହେଲା ଭଗବାନ ଶିରିଡି ସାଇଙ୍କ ଜନ୍ମୋତ୍ସବ
ଆସିକା (ୱାଇଏନ୍ଏସ୍): ଆସିକା ଏନଏସି ଅଧିନସ୍ଥ ଗାୟତ୍ରୀ ନଗର ସ୍ଥିତ ଶ୍ରୀ ଶିରିଡି ସାଇ ସେବା ଟ୍ରଷ୍ଟ ପକ୍ଷରୁ ଭଗବାନ ଶିରିଡି ସାଇବାବାଙ୍କ ପୂଣ୍ୟ ଜନ୍ମୋତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂପନ୍ନ ହୋଇଯାଇଛି। ଭଗବାନ ଶିରିଡି ସାଇବାବାଙ୍କ ଜନ୍ମୋତ୍ସବ ଅବସରରେ ଶିରିଡି ସାଇ ମନ୍ଦିର ପରିସର ଶ୍ରଦ୍ଧାଳୁ ଭକ୍ତ ମାନେ ଭଗବାନ ଶିରିଡି ସାଇନାଥଙ୍କୁ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା। ସଦ୍ଗୁରୁନାଥ ଶ୍ରୀ ଶ୍ରୀ ଶିରିଡି ସାଇଙ୍କ ପୂଣ୍ୟ ଜନ୍ମୋତ୍ସବ ଅବସରରେ ମନ୍ଦିର ପରିସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସାଙ୍ଗକୁ ଅଭିଷେକ ଅନୁଷ୍ଠିତ ହୋଇଥିଲା ବେଳେ ଆଧ୍ୟାତ୍ମିକପ୍ରେମୀ ସିମାଂଚଳ ଦାଶ ଓ ତାଙ୍କ ପତ୍ନୀ ଅନିତା ଦାଶ ନିଷ୍ଠାର ସହ ରହି ହୋମଯଜ୍ଞରେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ସନ୍ଧ୍ୟାରେ ଶ୍ରୀ ଶିରିଡି ସାଇନାଥଙ୍କ ବିଜେ ପ୍ରତିମାକୁ ଏକ ସୁସଜ୍ଜିତ ପାଲିଙ୍କିରେ ଅଧିଷ୍ଠିତ କରାଯାଇ ସହର ପରିକ୍ରମା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶହଶହ ଶିରିଡି ସାଇଆଶ୍ରିତ ଓ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ଏନ୍ଏସି ଅଧିନସ୍ଥ ଗାୟତ୍ରୀନଗର ସ୍ଥିତ ଶ୍ରୀଶ୍ରୀ ଶିରିଡି ସାଇନାଥ ମନ୍ଦିରରେ ଭକ୍ତ ଯଦି ନିଷ୍ଟାର ସହ ରହି ମନ୍ଦିର ପରିସରରେ ଘିଅ ଦୀପ ଟିଏ ଜଳାଇଥାଏ ତେବେ ତାର ମନୋବାଞ୍ଛା ନିଶ୍ଚିତ ଭାବେ ପୂରଣ ହୋଇଥାଏ ବୋଲି ଅଗଣିତ ଭକ୍ତଙ୍କ ବିଶ୍ୱାସ ରହିଥିବାରୁ ବର୍ଷତମାମ ଏହି ମନ୍ଦିରକୁ ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଥାଏ। ଶ୍ରୀଶ୍ରୀ ଶିରିଡି ସାଇନାଥ ଜନ୍ମୋତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶ୍ରୀ ଶିରିଡି ସାଇ ସେବା ଟ୍ରଷ୍ଟର ସଭାପତି ପି. ତିରୁପତି ପାତ୍ର, ଆଧ୍ୟାତ୍ମିକପ୍ରେମୀ ପି. ଶିବଶଙ୍କର ପାତ୍ର, ଶ୍ରଦ୍ଧାଳୁ ଭକ୍ତ ରବିନ୍ଦ୍ର ନାଥ ପୋଲାଇ, ସିମାଞ୍ଚଳ ଦାଶ, ପି. ରବିନ୍ଦ୍ର କୁମାର ପାତ୍ର, ଭାସ୍କର ବେହେରା, ବୁଟୁ ଦାଶ, ଭବାନୀଶଙ୍କର ପଟ୍ଟନାୟକ, ଶ୍ରବଣ କୁମାର ପାତ୍ର, ସାଗର ମହାରଣା, ଗଣପତି ରେଡି, ମନ୍ଦିର ପୂଜକ ମଧୁସୁଦନ ପାଣିଗ୍ରାହୀ (ପ୍ରଭୁ)ଙ୍କ ସମେତ ଅଞ୍ଚଳବାସୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।