ରକ୍ତଦାନ କରି କୁନି ଝିଅର ଜୀବନ ବଞ୍ଚାଇଲେ ବିଶ୍ୱଜିତ
ହାଟଡିହି, (ଓ୍ବାଇଏନଏସ): ମାନବିକତା ଓ ସେବାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ହାଟଡିହି ବ୍ଲକ୍ ପଞ୍ଚୁଗୋଛିଆ ଗ୍ରାମର ବିଶ୍ୱଜିତ ଦାସ। ଜଣେ ୧୫ ବର୍ଷୀୟା ଅସୁସ୍ଥ ଝିଅଙ୍କ ଜୀବନ ରକ୍ଷା ପାଇଁ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ବିରଳ ଏସ୍ଡିପି (SDP) ରକ୍ତଦାନ କରି ସେ ମାନବିକତାର ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ପଞ୍ଚୁଗୋଛିଆ ଗ୍ରାମର ଜଣେ ୧୫ ବର୍ଷୀୟା ଝିଅ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ତୁରନ୍ତ ଏସ୍ଡିପି ଆବଶ୍ୟକ ଥିବା ଡାକ୍ତରମାନେ ପରିବାରକୁ ସୂଚନା ଦେଇଥିଲେ। ଠିକ ସମୟ ମଧ୍ୟରେ ଏସ୍ଡିପି ନ ମିଳିଲେ ଝିଅଟିର ଜୀବନ ପ୍ରତି ବିପଦ ରହିଥିବାରୁ ପରିବାର ପକ୍ଷରୁ ତୁରନ୍ତ ସମ୍ପର୍କୀୟ, ସ୍ୱେଚ୍ଛାସେବୀ ଓ ରକ୍ତଦାତାଙ୍କ ସହାୟତା ଲୋଡ଼ାଯାଇଥିଲା। ତେବେ ବହୁ ଚେଷ୍ଟା ସତ୍ତ୍ୱେ ଆବଶ୍ୟକ ଏସ୍ଡିପି ଡୋନର ମିଳିନଥିଲେ। ଏସ୍ଡିପି ଦାନ ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ଓ ନିୟମାବଳୀ ରହିଥିବାରୁ ଏଭଳି ଡୋନର ମିଳିବା ମଧ୍ୟ ସହଜ ନୁହେଁ। ଏହି ସଙ୍କଟପୂର୍ଣ୍ଣ ସମୟରେ ମୁଗୁପୁରସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ‘ସପୋର୍ଟିଭ୍ ହ୍ୟାଣ୍ଡସ୍’ର ସଭାପତି ବିଶ୍ୱଜିତ ଦାସ ସହାୟତାର ହାତ ବଢ଼ାଇଥିଲେ। ନିଜର ଜରୁରୀ କାର୍ଯ୍ୟକ୍ରମକୁ ବାତିଲ କରି ବିଶ୍ୱଜିତ ତୁରନ୍ତ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ଝିଅଟି ପାଇଁ ଏସ୍ଡିପି ଦାନ କରିଥିଲେ। ରକ୍ତଦାନ ପରେ ଝିଅଟିର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ବିଶ୍ୱଜିତଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଇଛି। ବିଶ୍ୱଜିତ କେବଳ ଜଣେ ସ୍ୱେଚ୍ଛାକୃତ ରକ୍ତଦାତା ନୁହନ୍ତି, ମୁଗୁପୁର ଅଞ୍ଚଳରେ ନିୟମିତ ଭାବେ ରକ୍ତଦାନ ଶିବିର ଆୟୋଜନ କରିବା ସହ ଲୋକଙ୍କୁ ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ସଚେତନ କରାଇଆସୁଛନ୍ତି। ତାଙ୍କର ଏହି ନିସ୍ୱାର୍ଥ ସେବା ଓ ମାନବିକତା ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛି।


