ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରାସ୍ଥିତ ପିଏମଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅବ୍ୟବସ୍ଥା ମଧ୍ୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଶେଷ ହୋଇଛି । ଏହି ମେଳାରେ ସାଂସଦ, ବିଧାୟକ, ଜିଲା ଶିକ୍ଷାଧିକାରୀ, ଅତିରିକ୍ତ ଜିଲା ଶିକ୍ଷାଧିକାରୀ, ସମିତି ସଭ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ସେମାନଙ୍କ ମଧ୍ୟରୁ କେହି ଯୋଗ ଦେଇନଥିବାର ଦେଖାଯାଇଥିଲା । ଫଳରେ ସ୍ଥାନୀୟ ସରପଞ୍ଚଙ୍କୁ ନେଇ ଉଦ୍‌ଘାଟନୀ କାର୍ଯ୍ୟ ହୋଇଥିଲା । ସେହିପରି ମଧ୍ୟାହ୍ନ ଭୋଜନ ପରେ ପ୍ରଦର୍ଶିତ ପ୍ରକଳ୍ପ ଗୁଡିକୁ ନେଇ ଛାତ୍ରଛାତ୍ରୀ ଓ ଗାଇଡ ଶିକ୍ଷକ ମାନେ ପଳାଇ ଯାଇଥିବାର ଦେଖାଯାଇଥିଲା । ଏପରିପେକ୍ଷୀରେ ବିଆରସିସି ହରେକୃଷ୍ଣ ଆପଟ୍ଟଙ୍କ ସଭାପତିତ୍ୱରେ ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ସରପଞ୍ଚ ପ୍ରଶାନ୍ତ ଦାସ, ମୁଖ୍ୟ ବକ୍ତା ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ରାଧାନାଥ ମିଶ୍ର, ସମ୍ମାନୀତ ଅତିଥି ଏବିଇଓ ଭାଗିରଥି ପାତ୍ର, ପଞ୍ଚସଖା ଶିକ୍ଷା ସେତୁର ସଭାପତି ଅନାଦି ଚରଣ ସେନାପତି, ବ୍ଲକ ବିଜ୍ଞାନ ସଂଯୋଜକ ଶଶୀ ଶେଖର କରଶର୍ମା, ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷକ ଅଭୟ ପ୍ରଧାନ ମଞ୍ଚ ସଂଯୋଜନା, ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ ଓ ଶିକ୍ଷକ ପଞ୍ଚାନନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ୨ୟ ଅଧିବେଶନରେ ବିଆରସିସି, ବ୍ଲକ ବିଜ୍ଞାନ ସଂଯୋଜକ, ପଞ୍ଚସଖା ଶିକ୍ଷା ସେତୁର ସଭାପତିଙ୍କ ସମେତ ସିଆରସିସି ଶୁଭ୍ର ପ୍ରକାଶ ରାଉଳ, ୱାର୍ଡ ସଭ୍ୟ ସର୍ବେଶ୍ୱର ଜେନା, ବରିଷ୍ଠ ଶିକ୍ଷକ ଅନ୍ତର୍ଯ୍ୟାମୀ ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଏହି ମେଳାରେ ୧୧୧ ବିଦ୍ୟାଳୟରୁ ୧୪୬ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଚାରକ ଭାବେ ଗୋପୀନାଥ ଦାଶ, ବିଜୟ କୁମାର ଷେଣ୍ଢ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ୭ ପ୍ରକଳ୍ପ ଜିଲା ସ୍ତରକୁ ମନୋନୀତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷୟିତ୍ରୀ, ଶିକ୍ଷକ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ