ରକ୍ତଦାନ ଶିବିର ଅନୁଷ୍ଠିତ
ଛତ୍ରପୁର(ଓ୍ବାଇଏନଏସ) : ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆଜି ଗୋପାଳପୁର ବନ୍ଦର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆଦାନୀ ଗୃପ ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ୬୪ ତମ ଜନ୍ମ ଦିବସ ପାଳନ ଅବସରରେ ଏହି ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ୧୩୮ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ସମାଜ ପ୍ରତି ସେବାଭାବ ଓ ମାନବିକ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ଗୋପାଳପୁର ବନ୍ଦରର କର୍ମଚାରୀ, ଶ୍ରମିକ, ପରିବାର ସଦସ୍ୟ, ସହଯୋଗୀ ସଂସ୍ଥାର କର୍ମଚାରୀ ଏବଂ ସ୍ଥାନୀୟ ଅଞ୍ଚଳର ଲୋକମାନେ ଉତ୍ସାହର ସହ ଯୋଗଦେଇ ସମାଜର କଲ୍ୟାଣ ନିମନ୍ତେ ରକ୍ତଦାନ କରିଥିଲେ। ଆଦାନୀ ଫାଉଣ୍ଡେସନ ଓ ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲ୍ କଲେଜ ବ୍ଲଡ଼ବ୍ୟାଙ୍କ ବିଭାଗର ମିଳିତ ସହଯୋଗରେ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ନାୟକ ପ୍ରଦୀପ ପ୍ରଜ୍ଵଳନ କରି ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ରକ୍ତଦାନ ଜରୁରୀକାଳୀନ ସମୟରେ ଅନେକ ଜୀବନ ରକ୍ଷା କରିପାରେ ବୋଲି କହିବା ସହ ସମସ୍ତଙ୍କୁ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ। ଗୋପାଳପୁର ପୋର୍ଟର ବହୁ କର୍ମକର୍ତ୍ତା ବେଶ୍ ଅନୁପ୍ରାଣିତ ହୋଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ଏବଂ ସମସ୍ତଙ୍କର ମିଳିତ ପ୍ରୟାସ ଯୋଗୁ ୧୩୮ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଛି । ଏହି ଅବସରରେ ଗୋପାଳପୁର ବନ୍ଦରର ବରିଷ୍ଠ ଅଧିକାରୀ, ଆଦାନୀ ଫାଉଣ୍ଡେସନର ପ୍ରତିନିଧି ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସମାଜର କଲ୍ୟାଣ ଏବଂ ‘ସେବା’ର ମୂଲ୍ୟବୋଧକୁ ଆଗେଇ ନେବା ଲକ୍ଷ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।


