ବାପଘର ଲୋକଙ୍କ ଦାବି ପରେ ଡାକ୍ତରଖାନା ଫେରିଲା ଶବ
ହାଟଡିହି (ଓ୍ବାଇଏନଏସ): ବାପଘର ଲୋକଙ୍କ ଦାବି ପରେ ଡାକ୍ତରଖାନାରୁ ଘରକୁ ଆସିଥିବା ମହିଳାଙ୍କ ଶବ ପୁନର୍ବାର ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ଯିବା ନନ୍ଦିପଦା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାରୁ ଜଣା ଯାଇଛି ଯେ ଅଁରା ପଞ୍ଚାୟତ ତୁମ୍ବାବଣୀ ପାଟଣା ଗ୍ରାମର ଭୀମସେନ ରାଉତଙ୍କ ଝିଅ ଉଷାରାଣୀ ରାଉତ କଳିଗାଁ ପଞ୍ଚାୟତ ଶାଳକଣିଆଁ ଗ୍ରାମର ଚତୁର୍ଭୁଜ ରାଉତଙ୍କ ପୁଅ ପ୍ରଦିପକୁ ବିବାହ କରିଥିଲେ। ତାଙ୍କର ଗୋଟିଏ ୧୭ବର୍ଷର ପୁଅ ଓ ୧୫ ବର୍ଷର ଝିଅ ମଧ୍ୟ ଅଛି। ଗତକାଲି କୌଣସି କାରଣରୁ ଉଷାରାଣୀ ବିଷ ପିଇଦେଇ ଥିବା କହି ପରିବାର ଲୋକେ ତାଙ୍କୁ ପ୍ରଥମେ ଶାଳଣିଆଁ ଡାକ୍ତରଖାନା ଓ ପରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନା ନେଇଯାଇ ଥିଲେ। ଚିକିତ୍ସାଧିନ ଅବସ୍ଥାରେ ଆଜି ଉଷାରାଣୀର ମୃତ୍ୟୁ ଘଟିଥିଲା। ଆଜି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ନକରି ଶବକୁ ଶାଳକଣିଆଁ ଗାଁକୁ ଆଣି ତରବରିଆ ଭାବେ ସତ୍କାର କରାଯାଉଥିବା ଶୁଣି ଉଷାରାଣିଙ୍କ ମା ଜୟନ୍ତୀଲତା ରାଉତ ନନ୍ଦିପଦା ଥାନାକୁ ଆସି ଅଭିଯୋଗ କରିଥିଲେ। ଏପରିକି ତୁମ୍ବାବଣୀ ପାଟଣା ଗ୍ରାମର ଅନେକ ଲୋକ ଶାଳକଣିଆଁ ଗାଁରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତାଙ୍କ ଝିଅକୁ ତାର ସ୍ୱାମୀ ଓ ଦିଅର ଅନେକ ସମୟରେ ମାଡ଼ ପିଟି କରୁଥିବାରୁ ଝିଅର ଏପରି ମୃତ୍ୟୁକୁ ନେଇ ମା ଜୟନ୍ତୀ ସନ୍ଦେହ ପ୍ରକାଶ କରିବା ସହିତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ମୃତଦେହକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛନ୍ତି।


