ସ୍କୁଟି ସହ ଗଞ୍ଜେଇ ଜବତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି ସହ ୧୩ କେଜି ୨ ଶହ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଯୁବକଙ୍କୁ ଦିଗପହଣ୍ଡି ଅବକାରୀ ଥାନା ଓଆଇସି ସସ୍ମିତା ମଲ୍ଲିକ ଗିରଫ କରିଛନ୍ତି। ଗିରଫ ଯୁବକ ଦ୍ବୟ ହେଲେ ଗଜପତି ଜିଲା ମୋହନ ଥାନା ଚନ୍ଦ୍ରଗିରି ଗ୍ରାମର ଦୀନବନ୍ଧୁ ଲିମା(୪୫) ଏବଂ ମାନୁଏଲ୍ ବୀର (୫୭) । ଅଭିଯୁକ୍ତ ଦ୍ବୟ ସ୍କୁଟି ନଂ. (ଓଡ଼ି ୨୦ ସି -୬୯୮୫) ଯୋଗେ ଏକ ବ୍ଯାଗରେ ଗଞ୍ଜେଇ ଧରି ବ୍ରହ୍ମପୁର ରେଳ ଷ୍ଟେସନ ଅଭିମୁଖେ ଚୋରାଚାଲାଣ କରୁଥିବା ନେଇ ସୂଚନା ମିଳିଥିଲା। ଅବକାରୀ ଓଆଇସିଙ୍କ ନେତୃତ୍ୱରେ ଏଏସଆଇ ଏନ୍. ତ୍ରିପତି, କନେଷ୍ଟବଳ ରାଜେଶ ଜେନା, ବଳରାମ ପାତ୍ର, ଆଲଫଲତା ସାହୁ, ଏସ. କେ ରାଜେଶ ଉଦ୍ଦିନ ଦିଗପହଣ୍ଡି କୃଷି କାର୍ଯ୍ୟାଳୟ ନିକଟରେ ଛକି ରହିଥିଲେ। ସ୍କୁଟି ଟି ସେଠାରେ ପହଞ୍ଚିବା କ୍ଷଣି ଅବକାରୀ କର୍ମଚାରୀ ବୃନ୍ଦ ଉଭୟ ଙ୍କୁ ଅଟକାଇ ଖାନ ତଲାସି କରିଥିଲେ। ସ୍କୁଟି ରେ ଥିବା ଏକ ଜରିବସ୍ତା ରେ ଗଞ୍ଜେଇ ଥିବା ଜଣାପଡିଥିଲା। ପରେ ଦୁଇ ଯୁବକ ଙ୍କୁ ଅବକାରୀ ଥାନାକୁ ଉଠାଇ ନିଆଯାଇଥିଲା। ଏନେଇ ଦିଗପହଣ୍ଡି ଅବକାରୀ ଥାନା ମାମଲା ନଂ. ୭୯/୨୬-୨୭ ଅନୁଯାୟୀ ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଓଆଇସି ସୂଚନା ଦେଇଛନ୍ତି।


