ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ସ୍ବର୍ଗତ ଟିଙ୍କା ବେହେରା ଙ୍କ ବଡ଼ ପୁଅ ଟୁନା ବେହେରା(୩୧) ଶନିବାର ଭୋର ପ୍ରାୟ ୫ ଟାରେ ଟ୍ରେନ ରୁ ଖସି ମୃତ୍ୟୁବରଣ କରିଥିବା ଖବର ମିଳିଛି। ଦାଦନ ଶ୍ରମିକ ଟୁନା କାମ ଅନ୍ବେଷଣରେ ଗୁରୁବାର ବ୍ରହ୍ମପୁର ରୁ ଟ୍ରେନ ଯୋଗେ ତାମିଲନାଡୁ ର ଚେନ୍ନାଇ ଯାଉଥିଲେ। ଚେନ୍ନାଇ ଅଳ୍ପ ରାସ୍ତା ବାକି ଥିବା ବେଳେ ଟୁନା ଅସାବଧାନତା କାରଣରୁ ତାମିଲନାଡୁ ର ମାଲେପାଟମ୍ୱକମ୍ ଗାଁ ନିକଟରେ ସେ ଟ୍ରେନ ରୁ ଖସି ମୃତ୍ୟୁବରଣ କରିଥିଲେ।ସେଠାକାର କୁଡ଼ାଲୁର୍ ପୋର୍ଟ ଜଙ୍କସନ୍ ରେଲୱେ ଥାନା ପୋଲିସ (ଜିଆରପି) ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ସେଠାକାର ସରକାରୀ ହସ୍ପିଟାଲ କୁ ପଠାଇଛନ୍ତି। ଏନେଇ ଟୁନା ଙ୍କ ସହ କାମ କରିବାକୁ ଯାଇଥିବା ଗ୍ରାମର ପପୁ ସେଠୀ ଏବଂ ରାଜୀବ ବେହେରା ଗାଁ ଲୋକଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଖବର ଦେଇଥିଲେ। ପରିବାର ଲୋକେ ଟୁନା ଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି। ବିଧବା ମା ଝୁନୁ ବେହେରା ଏବଂ ଦିବ୍ୟାଙ୍ଗ ଭଉଣୀ ତଳେ ମୁଣ୍ଡ ପିଟି ବାହୁନି ବାହୁନି କାନ୍ଦୁଛନ୍ତି।ସେ ଥିଲେ ପରିବାର ର ଏକମାତ୍ର ରୋଜଗାର କ୍ଷମ ପୁଅ। ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ ଖଟି ଘର ଚଳାଉଥିଲେ। ନିହାତି ଗରିବ ଅସହାୟ ଟୁନା ଙ୍କ ଘର ନାହିଁ।ଭଡ଼ା ଘରେ ପରିବାର ଲେକେ ରହୁଛନ୍ତି। ଖବର ପ୍ରଚାରିତ ହେବା ପରେ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶିବରାମ ମହାନ୍ତି ଟୁନା ଙ୍କ ମୃତଦେହ ତାଙ୍କ ଭିଟାମାଟି ଭୀଷ୍ମଗିରି ଅଣାଯିବା ସହ ମୃତକ ଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ନେଇ ବ୍ରହ୍ମପୁର ଏମ.ପି ଡ଼.ପ୍ରଦୀପ ପାଣିଗ୍ରାହୀ ଏବଂ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଙ୍କ ସମେତ ଜିଲା ଶ୍ରମ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବ୍ରହ୍ମପୁର ଏମ.ପି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଆବଶ୍ୟକ ସହାୟତା ପାଇଁ ଚିଠି ଲେଖିଛନ୍ତି। ଗୃହହୀନ ମୃତକଙ୍କ ପରିବାରଙ୍କୁ ଆବାସ ଯୋଜନାରେ ବାସଗୃହ ଯୋଗାଇଦେବା ସହ ସେମାନଙ୍କୁ ଥଇଥାନ ପାଇଁ ଭୀଷ୍ମ ଗିରି ପଞ୍ଚାୟତ ସମିତି ସଭ୍ୟ ଶିବରାମ ମହାନ୍ତି ଦାବୀ କରିଛନ୍ତି।ଏନେଇ ଦିଗପହଣ୍ଡି ତହସିଲଦାର ଙ୍କୁ ପଚାରିବାରୁ ରେଡକ୍ରସ ପାଣ୍ଠି ରୁ ସହାୟତା ଯୋଗାଇଦେବାକୁ ସେ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।


