ତମାଖୁ ନିଷେଧକୁ ଚ୍ୟାଲେଞ୍ଜ: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ
କଟକ, (ଓ୍ବାଇଏନଏସ): ତମାଖୁ ଓ ନିକୋଟିନ୍ଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ରାଜ୍ୟ ସରକାରଙ୍କ ନିଷେଧାଦେଶକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ରିଟ୍ ଅପିଲ୍ରେ ଓଡ଼ିଶା ହାଇକୋର୍ଟ ସରକାରଙ୍କ ଜବାବ ତଲବ କରିଛନ୍ତି। ଏହି ମାମଲାର ପ୍ରାଥମିକ ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଓ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୨ରେ ହେବ। କଟକର ଏକ ତମାଖୁ ଉତ୍ପାଦନ ଓ ବିକ୍ରୟକାରୀ ସଂସ୍ଥା ଏହି ଅପିଲ୍ ଦାଏର କରିଛି। ଅଗଷ୍ଟ ୨୧ରେ ଜଷ୍ଟିସ୍ ଏସ୍କେ ପାଣିଗ୍ରାହୀଙ୍କ ଏକକ ଖଣ୍ଡପୀଠ ତମାଖୁ କିମ୍ବା ନିକୋଟିନ୍ ମିଶ୍ରିତ ଉତ୍ପାଦ ଉପରେ ସରକାରଙ୍କ ନିଷେଧାଦେଶକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଏକାଧିକ ଆବେଦନକୁ ଖାରଜ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସଂପୃକ୍ତ କମ୍ପାନୀ ଏବେ ଖଣ୍ଡପୀଠଙ୍କ ନିକଟରେ ରିଟ୍ ଅପିଲ୍ ଦାଏର କରିଛି। ୨୦୨୬ ଜାନୁଆରୀ ୨୧ରେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିରେ ତମାଖୁ କିମ୍ବା ନିକୋଟିନ୍କୁ ଉପାଦାନ ଭାବେ ବ୍ୟବହାର କରାଯାଇଥିବା ଖାଦ୍ୟ ସାମଗ୍ରୀର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବିତରଣ ଓ ବିକ୍ରୟ ଉପରେ ନିଷେଧ ଲଗାଯାଇଥିଲା। ଏହି ନିଷେଧାଦେଶ ଅଧୀନରେ ଗୁଟ୍ଖା, ପାନମସଲା ସମେତ ବିଭିନ୍ନ ସୁଗନ୍ଧିତ, ଫ୍ଲେଭର୍ଯୁକ୍ତ ଓ ବିଭିନ୍ନ ଆଡିଟିଭ୍ ମିଶ୍ରିତ ଚୋବାଇବା ଯୋଗ୍ୟ ତମାଖୁ ଉତ୍ପାଦ ରହିଛି। ଅପିଲ୍ରେ କମ୍ପାନୀ ପ୍ରଧାନତଃ ଚୋବାଇବା ତମାଖୁକୁ ‘ଖାଦ୍ୟ’ ଭାବେ ବର୍ଗୀକରଣ କରାଯିବାକୁ ନେଇ ପ୍ରଶ୍ନ ଉଠାଇଛି। ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଆକ୍ଟ, ୨୦୦୬ର ଧାରା ୩(୧)ରେ ‘ଖାଦ୍ୟ’ର ଯେଉଁ ପରିଭାଷା ଦିଆଯାଇଛି, ତାହା ସମ୍ପୂର୍ଣ୍ଣ ଏବଂ ପ୍ରଶାସନିକ ବ୍ୟାଖ୍ୟା ମାଧ୍ୟମରେ ଏହାକୁ ବ୍ୟାପକ କରାଯାଇପାରିବ ନାହିଁ ବୋଲି କମ୍ପାନୀ ଯୁକ୍ତି ଦର୍ଶାଇଛି। ଏଥିସହ ଚୋବାଇବା ତମାଖୁ ସାଧାରଣ ଅର୍ଥରେ ଖାଦ୍ୟ ନୁହେଁ ଏବଂ ଆଇନରେ ମଧ୍ୟ ଏହାକୁ ସ୍ପଷ୍ଟ ଭାବେ ଖାଦ୍ୟ ଭାବେ ସାମିଲ କରାଯାଇନାହିଁ ବୋଲି ଅପିଲ୍ରେ ଦାବି କରାଯାଇଛି। ଏହା ପୂର୍ବରୁ ମଧ୍ୟ ଏକାଧିକ ତମାଖୁ ଉତ୍ପାଦନକାରୀ ସଂସ୍ଥା ରାଜ୍ୟ ସରକାରଙ୍କ ଏହି ବିଜ୍ଞପ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଆକ୍ଟ ଅଧୀନରେ ଏଭଳି ନିଷେଧାଦେଶ ଜାରି କରିବାର ଅଧିକାର ରାଜ୍ୟ ସରକାରଙ୍କର ନାହିଁ ବୋଲି ସେମାନେ ଯୁକ୍ତି ରଖିଥିଲେ। ଏବେ ନୂଆ ରିଟ୍ ଅପିଲ୍ରେ ସେହି ଆଇନଗତ ପ୍ରଶ୍ନଗୁଡ଼ିକ ପୁଣିଥରେ ଖଣ୍ଡପୀଠଙ୍କ ସମ୍ମୁଖକୁ ଆସିଛି।


