କଟକ ଭୂ-ଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ପତ୍ତିକୁ ଜବତ କରିବାକୁ ବାଣିଜ୍ୟିକ ଅଦାଲତଙ୍କ ନିର୍ଦ୍ଦେଶ
କଟକ(ଓ୍ବାଇଏନଏସ) : କଟକ ଭୂ-ଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ପତ୍ତି ଜବତ ମାମଲାରେ ଅଫିସ ଉପକରଣ ଜବତ କରିବାକୁ ବାଣିଜ୍ୟିକ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମାର୍ଚ୍ଚ ୧୦ ତାରିଖ ଶୁଦ୍ଧା ଜବତ ପ୍ରକ୍ରିୟା ଶେଷ କରିବା ତଥା ୯ କୋଟି ୪୪ ଲକ୍ଷର ବକେୟା ପଇଠ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସିଲଭେସା ସଂସ୍ଥାର ଆବେଦନ ଆଧାରରେ ଏହି ନିର୍ଦେଶ ଦେଇଛନ୍ତି କୋର୍ଟ । ଗତ ୧୮ ତାରିଖରେ ଜବତ ସମୟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଜବତ ଭୟରେ ଅଫିସରେ ତାଲା ଝୁଲାଇ ବାହାରେ ବୁଲିଥିଲେ ସରକାରୀ କର୍ମଚାରୀ । କୋର୍ଟଙ୍କ ନିର୍ଦ୍ଦେଶକୁ ଏଡ଼ାଇବା ପାଇଁ ଏକ ଅଭାବନୀୟ ପନ୍ଥା ଆପଣାଇଥିଲା ସରକାରୀ ବିଭାଗ । ବକେୟା ୯ କୋଟି ୪୪ ଲକ୍ଷ ଟଙ୍କା ପୈଠ ନକରିବାରୁ ସମ୍ପତ୍ତି ଜବତ ପାଇଁ କୋର୍ଟ ବେଲିଫ୍ ପହଞ୍ଚିବା ପୂର୍ବରୁ ଭୂ-ଲେଖ ଓ ସର୍ବେକ୍ଷଣ ନିର୍ଦ୍ଦେଶକଙ୍କ (Director of Land Records & Surveys) କାର୍ଯ୍ୟାଳୟରେ ତାଲା ପକାଇ କର୍ମଚାରୀମାନେ ବାହାରେ ବୁଲୁ ଥିବା ଦେଖିବାକୁ ମିଳିଥିଲା । ଫଳରେ ଜବତ ପ୍ରକ୍ରିୟା ସ୍ଥଗିତ ରହିଥିଲା । ସାଧାରଣତଃ ସକାଳ ୧୦ଟାରେ ସରକାରୀ କାର୍ଯ୍ୟାଳୟ ଖୋଲିବା କଥା । କିନ୍ତୁ କଟକ ବାଣିଜ୍ୟିକ ଅଦାଲତଙ୍କ (Commercial Court) କଠୋର କାର୍ଯ୍ୟାନୁଷ୍ଠାନକୁ ଏଡ଼ାଇବା ପାଇଁ ଗତ ୧୮ ତାରିଖରେ ଅଫିସ ପ୍ରକୋଷ୍ଠ ଗୁଡ଼ିକରେ ଅପରାହ୍ନ ପର୍ଯ୍ୟନ୍ତ ତାଲା ଝୁଲିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କର୍ମଚାରୀମାନେ ନିଜ ନିଜ ଚେୟାରରେ ବସିବା ପରିବର୍ତ୍ତେ ଅଫିସ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ‘ସିଲଭେସା ଇନଫୋଟେକ୍’ ସଂସ୍ଥାର ₹୯.୪୪ କୋଟିର ବକେୟା ପାଇଁ କୋର୍ଟ ଅଫିସର ସମସ୍ତ କମ୍ପ୍ୟୁଟର, ପ୍ରିଣ୍ଟର ଏବଂ ଆସବାବପତ୍ର ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ କର୍ମଚାରୀ ଅଫିସରେ ତାଲା ପଡ଼ିଥିବା ଜାଣି କୋର୍ଟଙ୍କ ୱାରେଣ୍ଟ ଧରି ବେଲିଫ୍ ଜବତ ପ୍ରକ୍ରିୟା ପାଇଁ ପହଞ୍ଚିଥିଲେ ମଧ୍ୟ କୌଣସି କର୍ମଚାରୀ ଅଫିସ ତାଲା ଖୋଲିନଥିଲେ କିମ୍ବା ସହଯୋଗ କରିନଥିଲେ । ଫଳରେ ବେଲିଫ୍ଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା । ତେବେ ଏହି ସମ୍ପୂର୍ଣ୍ଣ ଘଟଣା ବିଷୟରେ ସେ କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।ଆଜି ଏହି ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି, ଆଇନଜୀବୀ ଜ୍ୟୋତିର୍ମୟ ପ୍ରସାଦ ବେହରା।


