ନାବାଳିକା ନିଖୋଜ ଘଟଣାରେ ଓଏଚଆରସିରେ ଅଭିଯୋଗ
ହାଟଡିହି(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ନନ୍ଦିପଦା ଥାନା ଅଞ୍ଚଳରୁ ଜଣେ ୧୬ ବର୍ଷୀୟା ନାବାଳିକା ନିଖୋଜ ଘଟଣାରେ ପୋଲିସର ନିଷ୍କ୍ରିୟତା ଓ ଅବହେଳା ଅଭିଯୋଗ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ମାନବାଧିକାର କର୍ମୀ ପ୍ରିୟବ୍ରତ ବିଶ୍ୱାଳ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଏକ ଅଭିଯୋଗ କରିଥିଲେ | ଶ୍ରୀ ବିଶ୍ୱାଳଙ୍କ ଅଭିଯୋଗକୁ ଓଡ଼ିଶା ମାନବାଧିକାର କମିଶନ ଗୁରୁତ୍ୱର ସହ ବିଚାରକୁ ନେଇ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ (ଏସପି)ଙ୍କୁ ତଦନ୍ତ କରି ପରବର୍ତ୍ତୀ ଶୁଣାଣି ପୂର୍ବରୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ସୂଚନା ଅନୁଯାଇ ନନ୍ଦିପଦା ଥାନା ଅନ୍ତର୍ଗତ ଷଡ଼ଙ୍ଗ ଅଞ୍ଚଳରୁ ଜନୈକ ନାବାଳିକା ଗତ ମେ ମାସ ୮ ତାରିଖରେ ନିଖୋଜ ହୋଇଯାଇଥିଲେ | ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅ ର କୌଣସି ସନ୍ଧାନ ମିଳିନଥିଲା | ନିକଟସ୍ଥ ବଜାରରୁ କେବଳ ତାଙ୍କ ସାଇକେଲ ମିଳିଥିଲା। ଏହି ଘଟଣାରେ ନାବାଳିକାଙ୍କ ମା’ ପରଦିନ ନନ୍ଦିପଦା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ | ତାଙ୍କ ଅଭିଯୋଗ ଆଧାରରେ ନନ୍ଦିପଦା ପୁଲିସ ଗତ ୦୯.୦୫.୨୦୨୬ ରିଖ ରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ୨୦୨୩ର ଧାରା ୧୩୭(୨) ଅନୁଯାୟୀ ଏକ ମାମଲା (କେସ ନଂ ୧୯୫/୨୦୨୬) ରୁଜୁ କରିଥିଲେ ମଧ୍ୟ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ | | ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଦର୍ଶାଇ ଆବେଦନକାରୀ ଶ୍ରୀ ବିଶ୍ୱାଳ ଗତ ଜୁନ ମାସ ୨୨ ତାରିଖରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଆବେଦନ କରିଥିଲେ | ଶ୍ରୀ ବିଶ୍ୱାଳ ତାଙ୍କ ଆବେଦନରେ ନାବାଳିକାଙ୍କ ତୁରନ୍ତ ସନ୍ଧାନ ଓ ଉଦ୍ଧାର, ସ୍ୱତନ୍ତ୍ର ତଦନ୍ତ, ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ନିଜ ଆବେଦନରେ ଉଲ୍ଲେଖ କରିଛନ୍ତି | ଏହି ଘଟଣାରେ ଓଡ଼ିଶା ମାନବାଧିକାର କମିଶନଙ୍କ ହସ୍ତକ୍ଷେପକୁ ନେଇ ନିଖୋଜ ନାବାଳିକାଙ୍କ ସୁରକ୍ଷିତ ଉଦ୍ଧାର ଓ ମାମଲାର ତ୍ୱରିତ ତଦନ୍ତ ନେଇ ଆବେଦନକାରୀ ଆଶା ବ୍ୟକ୍ତ କରିଛନ୍ତି | ଏପର୍ଯ୍ୟନ୍ତ ନାବାଳିକାଙ୍କ କୌଣସି ସନ୍ଧାନ ମିଳିନଥିବାରୁ ପରିବାରଲୋକ ଗଭୀର ମାନସିକ ଚାପ ଓ ଚିନ୍ତାରେ ରହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ମାସ ୧୬ ତାରିଖକୁ ଧାର୍ଯ୍ୟ କରାଯାଇଛି |


