ଏସ୍‍ବିଆଇ ଆର୍‍ବିଓ ପକ୍ଷରୁ ଆସିକାରେ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ

ଆସିକା  (ୱାଇଏନ୍‍ଏସ୍‍): ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟ ଆସିକା (ଏସ୍‍ବିଆଇ ଆର୍‍ବିଓ) ପକ୍ଷରୁ ହକି ଖେଳର ଯାଦୁଗର ମେଜର୍‍ ଧ୍ୟାନଚାନ୍ଦଙ୍କ ଜନ୍ମଦିବସ ଓ ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଏକ ଦିବସୀୟ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କାଳଷଣ୍ଢପୁର ଗ୍ରାମ ସ୍ଥିତ ଋଷିକୁଲ୍ୟା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଭାରତ ଷ୍ଟେଟ୍‍ ବ୍ୟାଙ୍କ କ୍ଷେତ୍ରୀୟ ବ୍ୟବସାୟିକ କାର୍ଯ୍ୟାଳୟ ଆସିକା ଅଧୀନସ୍ଥ ୪୧ଟି ଶାଖାର ପ୍ରାୟ ୨୪୦ରୁ ଉର୍ଦ୍ଧ୍ୱ ବଛା ବଛା କ୍ରିକେଟପ୍ରେମୀଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ଖେଳାଳୀମାନେ ଆସିକା, ପୁରୁଷୋତ୍ତମପୁର, ଖଲିକୋଟ ଓ ଭଂଜନଗର ଟିମ୍‍ରେ ଅଂଶଗ୍ରହଣ କରିଥିଲେ । ଏସ୍‍ବିଆଇ ଆର୍‍ବିଓ ଆସିକା ଶାଖାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଅନୁଷ୍ଠିତ ହୋଇଥିବା ଏହି ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ବିଭାଗୀୟ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ୟାମସୁନ୍ଦର ଠାକୁର,ମୁଖ୍ୟ ପ୍ରବନ୍ଧକ ରାଜେଶ୍‍ କୁମାର ସାହୁ, ମାନବ ସମ୍ବଳ ପରିଚାଳକ ଦିଲୀପ କୁମାର ରାଉତରାୟ, ଉପ ପରିଚାଳକ ସିଲୁ ସାହୁ, ସହକାରୀ ପରିଚାଳକ ହୃଦାନନ୍ଦ ସାମନ୍ତସିଂହାର ଓ ସୁରଜ କୁମାର ରାଉଳ ପ୍ରମୁଖ ଯୋଗଦେଇ ହକି ଯାଦୁଗର ମେଜର୍‍ ଧ୍ୟାନଚାନ୍ଦଙ୍କ କୀର୍ତ୍ତି ଓ କୃତି ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରି ତାଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ପ୍ରଦାନ କରି ଖେଳାଳୀମାନେ ସଦାସର୍ବଦା ଖେଳୁଆଡ୍‍ ମନୋବୃତ୍ତି ରଖି ରୋଗ ଠାରୁ ଦୂରରେ ରହି ଶରୀରକୁ ସୁସ୍ଥ, ନିରୋଗ ଓ ଫିଟ୍‍ ରଖିବା ପାଇଁ ପ୍ରତ୍ୟେକ ଦିନ ଅତି କମ୍‍ରେ ଏକ ଘଣ୍ଟା ଖେଳପଡିଆରେ କ୍ରୀଡାଭ୍ୟାସ କରିବାକୁ ଆହ୍ୱାନ କରିଥିଲେ । ଏହି କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‍ ଆସିକା ଓ ଖଲିକୋଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ଆସିକା ଦଳ ବିଜୟୀ ହୋଇଥିଲା ଓ ହୃଦାନନ୍ଦ ସାମନ୍ତସିଂହାରଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ଚୟନ କରାଯାଇ ସମ୍ମାନିତ କରାଯାଇଥିଲା । ସେହିଭଳି ଭଂଜନଗର ଓ ପୁରୁଷୋତ୍ତମପୁର ଟିମ୍‍ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‍ ହୋଇଥିଲା ବେଳେ ସେଥିରେ ପୁରୁଷୋତ୍ତମପୁର ଟିମ୍‍ ବିଜୟୀ ହୋଇଥିଲା । ଫାଇନାଲ୍‍ ମ୍ୟାଚରେ ପୁରୁଷୋତ୍ତମପୁର ଟିମ୍‍କୁ ହରାଇ ଆସିକା ଟିମ୍‍ ବିଜୟଲାଭ କରିଥିଲା ବେଳେ ଶ୍ରେଷ୍ଠ ଖେଳାଳୀ ଭାବେ ହୃଦାନନ୍ଦ ସାମନ୍ତସିଂହାର ଓ ସିଲୁ ସାହୁଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟକୁ ସୁପରିଚାଳନା କରିବା ଦିଗରେ କ୍ରୀଡାପ୍ରେମୀ ହୃଦାନନ୍ଦ ସାମନ୍ତସିଂହାର, ମହମ୍ମଦ ଅସିତ୍‍, ସିଲୁ ସାହୁଙ୍କ ସମେତ ବହୁ ଖେଳାଳୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ