ବେଆଇନ ବାଣ ବେପାରୀଙ୍କ ଉପରେ କଟକ ପୁଲିସର ଛାଟ୍‌; ୪୦ ଲକ୍ଷର ବାଣ ଜବତ

କଟକ, (ଓ୍ବାଇଏନଏସ): ଆଲୋକର ପର୍ବ ଦୀପାବଳିକୁ ନେଇ ସହରରେ ଉତ୍ସବର ମାହୋଲ ଆରମ୍ଭ ହୋଇଥିବାବେଳେ ଯେକୌଣସି ଅଘଟଣକୁ ରୋକିବା ପାଇଁ କଟକ ପୁଲିସ ଏଥର ସତର୍କତାମୂଳକ ପଦକ୍ଷେପକୁ ଅଧିକ ଗୁରୁତ୍ୱ ଦେଇଛି। ବିଶେଷକରି ବେଆଇନ ବାଣ କାରବାର ଉପରେ ପୁଲିସର ଚଢ଼ାଉ ଜୋରଦାର ହୋଇଥିବାବେଳେ ଅନ୍ୟପଟେ ବାଣ ଫୁଟାଇବା ସମୟ ଓ ବିକ୍ରି ବ୍ୟବସ୍ଥାକୁ ନେଇ ମଧ୍ୟ କଟକଣା ଲାଗୁ କରାଯାଇଛି।କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁଯାୟୀ, ସନ୍ଧ୍ୟା ୭ଟାରୁ ରାତି ୯ଟା ହେଉଛି ବାଣ ଫୁଟାଇବା ପାଇଁ ନିର୍ଦ୍ଧାରିତ ସମୟ। ଏହା ପରେ ବାଣ ଫୁଟାଇବା ଉପରେ କଟକଣା ରହିବ। ନିୟମ ଅମାନ୍ୟ କରି ରାତିରେ ବାଣ ଫୁଟାଇଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇପାରେ। ସହରର ସଂକୀର୍ଣ୍ଣ ରାସ୍ତା ଓ ଘନ ଜନବସତି ଅଞ୍ଚଳରେ ଅଗ୍ନିକାଣ୍ଡର ଆଶଙ୍କା ଥିବାରୁ ରକେଟ୍ ବାଣ ବ୍ୟବହାରରୁ ନିବୃତ୍ତ ରହିବାକୁ ମଧ୍ୟ ପୁଲିସ ପରାମର୍ଶ ଦେଇଛି। ବାଣ ବିକ୍ରିକୁ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସହରର ୭ଟି ଖୋଲା ସ୍ଥାନକୁ ବାଣ ଦୋକାନ ପାଇଁ ଚିହ୍ନଟ କରାଯାଇଛି। ଏହାଦ୍ୱାରା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବାଣ ବିକ୍ରି ଓ ଗଚ୍ଛିତ ରଖିବା ଯୋଗୁଁ ସୃଷ୍ଟି ହେଉଥିବା ବିପଦକୁ ଏଡ଼ାଇବା ଲକ୍ଷ୍ୟ ରଖାଯାଇଛି।ତେବେ ବେଆଇନ ବାଣ କାରବାରକୁ ନେଇ ପୁଲିସର କାର୍ଯ୍ୟାନୁଷ୍ଠାନ ଏବେ ଚର୍ଚ୍ଚାରେ। ଚୋରା ବାଣ ବିକ୍ରି, ଅନୁମତି ବିନା ବାଣ ମହଜୁଦ ଓ ପରିବହନ ଅଭିଯୋଗରେ ଏପର୍ଯ୍ୟନ୍ତ ୮ଟି ମାମଲା ରୁଜୁ ହୋଇଛି। ପୁଲିସ ପ୍ରାୟ ୪୦ ଲକ୍ଷ ଟଙ୍କାର ବାଣ ସହ ଦୁଇଟି କାର୍ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି।ଏହି ଅଭିଯାନକୁ ଆହୁରି ତୀବ୍ର କରି ବିଡ଼ାନାସୀ ଅଞ୍ଚଳର ଏକ ସନ୍ଦିଗ୍ଧ ବେଆଇନ ବାଣ ଗୋଦାମରେ ପୁଲିସ ଚଢ଼ାଉ ଜାରି ରଖିଛି। ପୂର୍ବରୁ ବାରଙ୍ଗ ଓ ୪୨ ମୌଜା ଅଞ୍ଚଳରୁ ମଧ୍ୟ ବେଆଇନ ବାଣ ଜବତ ହୋଇଛି। ଦୀପାବଳି ଓ କାଳୀପୂଜା ସମୟରେ ବେଆଇନ କାରବାରକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ ଏବଂ ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଡିସିପି କହିଛନ୍ତି।ସହରବାସୀଙ୍କ ପାଇଁ ଏଥର ପୁଲିସର ବାର୍ତ୍ତା ସ୍ପଷ୍ଟ—ଉତ୍ସବ ପାଳନ ହେଉ ଆନନ୍ଦରେ, କିନ୍ତୁ ନିୟମ ଉଲ୍ଲଂଘନ କିମ୍ବା ଅସାବଧାନତା ଯୋଗୁଁ ଯେପରି କାହାର ଜୀବନ ଓ ସମ୍ପତ୍ତି ବିପଦରେ ନପଡ଼େ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ