ୱାର୍ସିଂ ମେସିନ ସର୍ଭିସିଂ ନାମରେ ସାଇବର ଲୁଟ୍

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ୱାଶିଂ ମେସିନ୍ ସର୍ଭିସିଂ କରାଇବା ପାଇଁ ଅନଲାଇନରେ କଷ୍ଟମର ସର୍ଭିସ୍ ସହ ଯୋଗାଯୋଗ କରିବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ପଡ଼ିଛି। ସର୍ଭିସିଂ ନାମରେ ସାଇବର ଠକଙ୍କ ଜାଲରେ ଫସି ପ୍ରାୟ ୧ ଲକ୍ଷ ଟଙ୍କା ହରାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ବ୍ରହ୍ମପୁର ଗ୍ରାମର ତପସ୍ୱିନୀ ଦାଶଙ୍କ ସହ ଘଟିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ ୱାଶିଂ ମେସିନ୍‌ରେ ସମସ୍ୟା ଦେଖାଦେବା ପରେ ତପସ୍ୱିନୀ ଅନଲାଇନ୍ ମାଧ୍ୟମରେ ସର୍ଭିସିଂ ପାଇଁ କଷ୍ଟମର ସର୍ଭିସ୍ ସହ ଯୋଗାଯୋଗ କରିଥିଲେ। ଏହାପରେ ଅଜଣା ବ୍ୟକ୍ତିଙ୍କ ସହ ତାଙ୍କର ଯୋଗାଯୋଗ ହୋଇଥିବା ଏବଂ ସେହି ସମୟରେ ତାଙ୍କୁ ବିଭିନ୍ନ ଭାବେ ପ୍ରଭାବିତ କରି ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଦୁର୍ବୃତ୍ତମାନେ କୌଶଳକ୍ରମେ ତାଙ୍କ ୟୁକୋ ବ୍ୟାଙ୍କ, ଗରଦପୁର ଶାଖାର ଆକାଉଣ୍ଟରୁ ପ୍ରାୟ ୧ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ନେଇଯାଇଛନ୍ତି। ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବା ପରେ ଏସମ୍ପର୍କରେ ଜାଣିବାକୁ ପାଇଥିଲେ ତପସ୍ୱିନୀ। ତେବେ ଏହି ଘଟଣାର ସବୁଠାରୁ ଚିନ୍ତାଜନକ ଦିଗ ହେଉଛି ତପସ୍ୱିନୀଙ୍କ ସ୍ୱାମୀଙ୍କ ଗୋଡ଼ର ଅପରେସନ୍ ପରବର୍ତ୍ତୀ ଚିକିତ୍ସା ଓ ଔଷଧ ଖର୍ଚ୍ଚ ପାଇଁ ଟଙ୍କା ସଞ୍ଚୟ କରି ରଖାଯାଇଥିବା ବେଳେ ସେହି ଅର୍ଥ ହିଁ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପରିବାର ଚିନ୍ତାରେ ପଡ଼ିଯାଇଛି। ଏସମ୍ପର୍କରେ ସାଇବର ସେଲ୍‌ରେ ଅଭିଯୋଗ କରାଯାଇଛି। ଟଙ୍କା କେଉଁ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି, ଏହା ପଛରେ କେଉଁମାନେ ଅଛନ୍ତି ଏବଂ ଠକେଇରେ ବ୍ୟବହୃତ ଆକାଉଣ୍ଟ କିମ୍ବା ନମ୍ବର ସମ୍ପର୍କରେ କୌଣସି ସୁରାକ ମିଳୁଛି କି ନାହିଁ ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଲୁଟ୍ ହୋଇଥିବା ଅର୍ଥ ଫେରିବ କି ନାହିଁ, ସେନେଇ ମଧ୍ୟ ପୀଡ଼ିତ ପରିବାର ଚିନ୍ତାରେ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ