ସମିତିସଭ୍ୟଙ୍କୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ହାଟଡିହି ବିଡିଓଙ୍କୁ ଦାବିପତ୍ର
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକରେ ନୁତନ ବିଡ଼ିଓଙ୍କ ଯୋଗଦାନ ପରଠାରୁ ସମିତି ସଭ୍ୟସଭ୍ୟା ମାନଙ୍କୁ ଅଣଦେଖା କରାଯାଉଥିବା ନେଇ ହାଟଡିହି ବ୍ଲକ ସମିତି ସଭ୍ୟସଭ୍ୟା ସଂଘ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଆଜି ଉର୍ଦ୍ଧ୍ଵ ସମିତି ସଭ୍ୟସଭ୍ୟା ମାନେ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ପୁର୍ବତନ ବିଡ଼ିଓଙ୍କ ସମୟରେ ସବୁ କାର୍ଯ୍ୟକ୍ରମରେ ସମିତି ସଭ୍ୟସଭ୍ୟା ମାନଙ୍କୁ ସୁଚନା ଦିଆ ଯାଉଥିଲା। ଏପରିକି ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ଏକ ହ୍ୱାଟସଅପ ଗ୍ରୁପ କରି ସେଥିରେ ସୁଚନା ଦେବା ସହ ବିଭିନ୍ନ ଯୋଜନାର କାର୍ଯ୍ଯ କାରିତା ସମ୍ପର୍କରେ ଅବଗତ କରାଇ ଥାନ୍ତି। କିନ୍ତୁ ଏବେ ସମିତି ସଭ୍ୟସଭ୍ୟା ମାନଙ୍କୁ କୌଣସି ସୁଚନା ଦିଆ ଯାଉ ନାହିଁ କି ପଚରା ଯାଉନି। ଏନେଇ ସମିତିସଂଘର ସଭାପତି ଧୀରେନ୍ଦ୍ର ନାୟକ, ଶ୍ରୀକାନ୍ତ ନାୟକ, ତାରିଣୀ ସେନାପତି, କୈଳାସ ରାଉତ , ଦିବ୍ୟରଞ୍ଜନ ଜେନା, ଜ୍ଞାନ ରଞ୍ଜନ ମହାପାତ୍ର, ବାବନ ସେଠୀ, ପ୍ରୀତିପଦ୍ମା ରାଉତ, ମଣିକର କିସ୍କୁ, ଦେବବ୍ରତ ବେହେରା, ପୂଜା ଜେନା, ନିଳୀମା ଜେନା, ଦମୟନ୍ତୀ ଜେନା, ସସ୍ମିତା ଜେନା, ଜଗଦାନନ୍ଦ ଜେନା, ମନୋରମା ପଣ୍ଡା ପ୍ରମୁଖ ଆଜି ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଏପରି କାର୍ଯ୍ୟ ଜାରି ରହିଲେ ଆଗାମୀ ଦିନରେ ପଞ୍ଚାୟତ ସମିତି ବୈଠକ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ବିଡ଼ିଓ ରଞ୍ଜନ କୁମାର ପରିଡ଼ା ସଭ୍ୟ ସଭ୍ୟା ମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ସମୟରେ ଏପରି ତ୍ରୁଟିର ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।