ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଝାଡ଼ାବାନ୍ତି, ୪୪ ଜଣ ଛାତ୍ର ଏସସିବିରେ ଭର୍ତ୍ତି
କଟକ, (ଓ୍ବାଇଏନଏସ): ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଝାଡ଼ାବାନ୍ତି । ନ୍ୟୁ ପିଜି ଏବଂ ଧର୍ମପଦ ଛାତ୍ରାବାସରେ ୪୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି ରାତ୍ରି ଭୋଜନ ଖାଇବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଅନ୍ତେବାସୀ । ସେମାନଙ୍କ ମଧ୍ୟରୁ ୩୦ରୁ ଉର୍ଦ୍ଧ୍ବ ଅନ୍ତେବାସୀଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ସମସ୍ତେ ଫୁଡ ପଏସନିଂର ଶିକାର ହୋଇଥିବା ନେଇ ଆଶଙ୍କା କରାଯାଉଛି । ବର୍ତ୍ତମାନ ସମସ୍ତଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ସେପଟେ ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ପହଞ୍ଚି ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ବ୍ୟବସ୍ଥା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି,” ଗତକାଲି ରାତ୍ରି ଭୋଜନ ପରେ ନ୍ୟୁ ପିଜି ଏବଂ ଧର୍ମପଦ ଛାତ୍ରାବାସରେ ଜଣକ ପରେ ଜଣେ ଅସୁସ୍ଥ ହୋଇଥିଲେ ।ଏପରିକି ୪୦ ଉର୍ଦ୍ଧ୍ବ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଆମେ ଖବର ପାଇଁ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଏସସିବି ମେଡ଼ିକାଲରେ ଭର୍ତ୍ତି କରିଥିଲୁ । ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହା ଖାଦ୍ୟ କିମ୍ବା ଜଳ ପାଇଁ ଏପରି ହୋଇଥାଇ ପାରେ ବୋଲି ଆମେ ଅନୁମାନ କରୁଛୁ । ନ୍ୟୁ ପିଜି ଏବଂ ଧର୍ମପଦ ଛାତ୍ରାବାସରେ ୧୦୦ରେ ଅଧିକ ଛାତ୍ର ରୁହନ୍ତି, ଅନ୍ୟାମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ।” ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁରା ଛାତ୍ରାବାସକୁ ବିଶୋଧନ କରିବା ସହ କାହିଁକି ଏପରି ଘଟିଲା ତାହାର ଅନୁଧ୍ୟାନ କରୁଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଏସସିବି ମେଡ଼ିକାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଅସୁସ୍ଥଙ୍କ ଚିକିତ୍ସା ଜାରି ରଖିଛନ୍ତି । ରାଜ୍ୟରେ ଦିନକୁ ଦିନ ଡ଼ାଇରିଆ ସ୍ଥିତି ସଙ୍ଗୀନ ହେଉଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୪୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ଚିନ୍ତାଜନକ ପାଲଟିଛି । ତେବେ ଅନ୍ତେବାସୀ କାହିଁକି ଏଭଳି ଝାଡ଼ାବାନ୍ତିର ଶିକାର ହେଲେ ତାହାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ଫୁଡ୍ ପଏସନିଂ ବୋଲି ସନ୍ଦେହ କରାଯାଉଛି ।


