ଯୌତୁକ ପ୍ରଥା ଓ ଘରୋଇ ହିଂସା ନିବାରଣ ନିମନ୍ତେ ଜିଲ୍ଲାସ୍ତରୀୟ କର୍ମଶାଳା

କଟକ, (ଓ୍ବାଇଏନଏସ): ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ଘରୋଇ ହିଂସା ଓ ଯୌତୁକ ପ୍ରଥା ଭଳି ସାମାଜିକ ବ୍ୟାଧିର ନିବାରଣ ଉଦ୍ଦେଶ୍ୟରେ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗଦେଇ ମହିଳାଙ୍କ ଅଧିକାରର ସୁରକ୍ଷା ଏବଂ ଘରୋଇ ହିଂସା ଓ ଯୌତୁକଜନିତ ନିର୍ଯାତନାର ମୂଳୋତ୍ପାଟନ ପାଇଁ ଜନସଚେତନତା ଓ ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ମହିଳାମାନେ କେବଳ ଆଇନଗତ ସହାୟତା ଉପରେ ନିର୍ଭର ନକରି ନିଜର ଅଧିକାର, ଆଇନଗତ ବ୍ୟବସ୍ଥା ଏବଂ ଉପଲବ୍ଧ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସଚେତନ ହେବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ। ଏଥିସହ ଜିଲ୍ଲାରେ ଘରୋଇ ହିଂସା ଓ ଯୌତୁକଜନିତ ନିର୍ଯାତନାର ପ୍ରତିରୋଧ, ପୀଡ଼ିତାଙ୍କୁ ତ୍ୱରିତ ସହାୟତା ପ୍ରଦାନ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ନିମନ୍ତେ ଏକ ସୁସ୍ପଷ୍ଟ ମାନକ କାର୍ଯ୍ୟପଦ୍ଧତି (SOP) ପ୍ରସ୍ତୁତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ବିନୋଦିନୀ ବେହେରା, ପୁଲିସ ଅଧିକାରୀ ଶ୍ରୀମତୀ ପ୍ରତିମା ବେହେରା ଏବଂ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀ ମାନସ କୁମାର ବିଶ୍ୱାଳଙ୍କ ସମେତ ବିଷୟ ବିଶେଷଜ୍ଞ ଶ୍ରୀମତୀ ଶର୍ମିଷ୍ଠା ନାଥ, ଶ୍ରୀମତୀ ଅନୁରାଧା ମହାନ୍ତି ଓ ଶ୍ରୀମତୀ ସରିତା ଦାସ ଯୋଗଦେଇ ଘରୋଇ ହିଂସା ନିବାରଣ ଆଇନ, ଯୌତୁକ ନିଷେଧ ଆଇନ, ମହିଳାଙ୍କ ଆଇନଗତ ଅଧିକାର ଏବଂ ଘରୋଇ ହିଂସା ଓ ଯୌତୁକ ପ୍ରଥା ଭଳି ସାମାଜିକ ସମସ୍ୟାଗୁଡ଼ିକର ପ୍ରତିରୋଧ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (CDPO), ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ପୋଷଣ ଅଭିଯାନର ବ୍ଲକ୍ ସଂଯୋଜକ, ଅଙ୍ଗନବାଡ଼ି କର୍ମୀ, ଆଇସିଡିଏସ୍‌ ସୁପରଭାଇଜର, କିଶୋରୀ ଏବଂ ମିଶନ ଶକ୍ତିର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ