ହାଇକୋର୍ଟରେ ରାଜ୍ୟସଭା କ୍ରସ ଭୋଟିଂ ପ୍ରସଙ୍ଗ, ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ, (ଓ୍ବାଇଏନଏସ) : ହାଇକୋର୍ଟରେ ରାଜ୍ୟସଭା ନିର୍ବାଚନ କ୍ରସଭୋଟିଂ ପ୍ରସଙ୍ଗ । ପୁଣି ବିଧାନସଭା ବାଚସ୍ପତିଙ୍କ ନିକଟକୁ ଏହି ମାମଲା ଶୁଣାଣି ଓ ନିଷ୍ପତ୍ତି ପାଇଁ ପଠାଯିବା ପ୍ରସଂଗରେ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ କହିଛନ୍ତି ହାଇକୋର୍ଟ। ପ୍ରାରମ୍ଭିକ ଶୁଣାଣି ସମୟରେ ୫ ଜଣ ବିଧାୟକଙ୍କ ଆବଦେନ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା । ଉଭୟ ରାଜ୍ୟ ସରକାର ଓ ଆବଦେନକାରୀଙ୍କ ପକ୍ଷରୁ ଏହି ମାମଲା ସମ୍ପର୍କରେ ଦୀର୍ଘ ସମୟ ଧରି ଯୁକ୍ତି ଉପସ୍ଥାପନା ହୋଇଥିଲା। ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଦଳର ହ୍ବିପ ମାନି ନଥିବା ଓ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗ ଆଣି ୮ଜଣ ବିଧାୟକଙ୍କ ବିରୋଧରେ ବାଚସ୍ପତିଙ୍କ ନିକଟରେ ବିଜେଡି ଦାଖଲ କରିଥିବା ପିଟିସନକୁ ବିନା ଶୁଣାଣିରେ ଖାରଜ କରାଯାଇଥିଲା।ବିଷୟବସ୍ତୁ, ତଥ୍ୟ ପ୍ରମାଣ କିମ୍ବା ଯୁକ୍ତିକୁ ବିଚାର ନକରି ବୈଷୟିକ କାରଣରୁ ଏପରି ପିଟିସନ ଖାରଜ କରାଯାଇଥିଲା। ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ପିଟିସନ ଖାରଜ କରାଯାଇଥିଲା। ପିଟିସନରେ ଥିବା ତ୍ରୁଟି ସଂଶୋଧନ ଯୋଗ୍ୟ। କିନ୍ତୁ ସଂଶୋଧନ ପାଇଁ ସୁଯୋଗ ନ ଦେଇ ପିଟିସନ ଖାରଜ କରାଯାଇଥିଲା। ଏହି ପ୍ରସଂଗକୁ ପୁଣି ବାଚସ୍ପତିଙ୍କ ନିକଟକୁ ବିଚାର ପାଇଁ ପଠାଯିବା ସଂକ୍ରାନ୍ତରେ ପରବର୍ତ୍ତୀ ତାରିଖରେ ଶୁଣାଣି ହେବ। ଅକ୍ଟୋବର୍ ୨୯ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି କୋର୍ଟ। ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼ଙ୍କ ସମେତ ନବକିଶୋର ମଲ୍ଲିକ, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରମଣି କହଁରଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗ ନେଇ ଦାୟର ପୃଥକ ଆବେଦନ ଗୁଡ଼ିକୁ ଖାରଜ କରି ବିଧାନସଭା ବାଚସ୍ପତି ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ବିଜେଡି। ଚଳିତ ବର୍ଷ ଫେବୃଆରୀ ୧୬ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ ବିଜେଡିର ୮ ଓ କଂଗ୍ରେସର ୩ ଜଣ ବିଧାୟକ । ୮ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆବେଦନ କରିଥିଲେ । ସେହିପରି କଂଗ୍ରେସ ପକ୍ଷରୁ ୩ ଜଣ ବିଧାୟକ ସଭ୍ୟ ପଦ ରଦ୍ଦ ପାଇଁ ଏହି ଆବେଦନ ଦାଖଲ ହୋଇଥିଲା । ଆବେଦନକୁ ଖାରଜ କରିଛନ୍ତି ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ।


