ସାଇନ୍‌ସ ଆୱାରନେସ୍ ଫୋରମ୍‌ର ‘ବିଜ୍ଞାନ ଉତ୍ସବ’ ଓ ଆଲୋଚନାଚକ୍ର

ବାଲେଶ୍ୱର, (ସରୋଜ ପଣ୍ଡା): ବୈଜ୍ଞାନିକ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଜୟନ୍ତୀ ଉପଲକ୍ଷେ ‘ସାଇନ୍‌ସ୍ ଆୱାରନେସ୍ ଫୋରମ୍‌ର ବିଜ୍ଞାନ ଉତ୍ସବ ଓ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଉପସ୍ଥିତିରେ ‘ପରମ୍ପରା ଓ ଆଧୁନିକତାର ସମନ୍ୱୟ ହିଁ ନବସୃଜନ’ ଶୀର୍ଷକ ଏକ ଶିକ୍ଷାଭିତ୍ତିକ ଆଲୋଚନାଚକ୍ର ଆତିଥ୍ୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ମଧ୍ୟ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ ଶିଶୁ ବିଜ୍ଞାନଲେଖକ ରଚନା କରିଥିବା ପୁସ୍ତକ ‘ପଦାର୍ଥବିଜ୍ଞାନର ତତ୍ତ୍ୱ ଓ ତଥ୍ୟ’ ପାଇଁ ଶ୍ରୀମାନ ବିନମ୍ର ଶତପଥୀଙ୍କୁ ‘ଡ. କଲାମ ବିଜ୍ଞାନ ନବସୃଜନ ଆୱାର୍ଡ଼’ ଫୋରମ ତରଫରୁ ପ୍ରଦାନ କରାଯାଇଅଛି। ମୁଖ୍ୟଅତିଥି ବିଜ୍ଞାନଲେଖକ ଓ ସ୍ତମ୍ଭକାର ଡ. ଚୌଧୁରୀ ସତ୍ୟବ୍ରତ ନନ୍ଦ ଉତ୍ସବକୁ ଉଦ୍‌ଘାଟନ କରି କହିଲେ ଯେ ଅନୁସନ୍ଧାନ ଓ ଅନୁଭବ ପ୍ରଦାନ ବିଜ୍ଞାନ ପ୍ରତି ଛାତ୍ରଛାତ୍ରୀଙ୍କର ଶ୍ରଦ୍ଧା ଓ ଉଚ୍ଛ୍ୱାସ ସୃଷ୍ଟି କରିଥାଏ। ବର୍ତ୍ତମାନ ବିଜ୍ଞାନ ଯୁଗରେ ଛାତ୍ରଛାତ୍ରୀମାନେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଷୟରେ ଜାଣିବା ଆବଶ୍ୟକ। ଡ. ଅବଦୁଲ କଲାମଙ୍କ ଫଟୋଚିତ୍ର ନିକଟରେ ଶିଶୁ ବିଜ୍ଞାନ ଲେଖକ ବିନମ୍ର ଶତପଥୀ ‘ବିଜ୍ଞାନ ପ୍ରଦୀପ’ ପ୍ରଜ୍ଜ୍ୱଳନ କରିବା ପରେ ଫୋରମ୍‌ର ଚେୟାରମ୍ୟାନ୍ ପ୍ରଶାନ୍ତ ଦାସ ଫୋରମ୍ ଗଠନ ସମ୍ପର୍କରେ ମତରଖି କହିଲେ ଯେ ପୃଥିବୀ, ପରିବେଶ ଓ ମାନବ ସମାଜର ମଙ୍ଗଳ ପାଇଁ ବିଜ୍ଞାନର ସଠିକ୍ ବ୍ୟବହାର କରିବା ବିଷୟରେ ଶିକ୍ଷାଭିତ୍ତିକ ସଚେତନତା ସୃଷ୍ଟି କରିବା ଫୋରମ୍‌ର ମୂଳ ଲକ୍ଷ୍ୟ। ଫୋରମ୍‌ର ସଭାପତି ଡ. ସମର ବଲ୍ଲଭ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଚଳିତବର୍ଷ ଶିଶୁ ବିଜ୍ଞାନ ଲେଖକ ବିନମ୍ର ଶତପଥୀଙ୍କୁ ତାଙ୍କର ଲିଖିତ ପୁସ୍ତକ ‘ପଦାର୍ଥ ବିଜ୍ଞାନର ତତ୍ତ୍ୱ ଓ ତଥ୍ୟ’ ପାଇଁ ପ୍ରଥମ ‘ଡ. କଲାମ ବିଜ୍ଞାନ ନବସୃଜନ ଆୱାର୍ଡ଼’ ମୁଖ୍ୟଅତିଥି ପ୍ରଦାନ କରିଥିଲେ। ଆୱାର୍ଡ଼ ଗ୍ରହଣ କରି ଶ୍ରୀମାନ ଶତପଥୀ କହିଲେ ଯେ ସାନବେଳୁ ବିଜ୍ଞାନ ବହି ପଢ଼ିବାକୁ ଭଲ ଲାଗେ। ବିଶିଷ୍ଟ ଗଣିତଜ୍ଞ ରାମାନୁଜମ୍‌ଙ୍କ ପୁସ୍ତକ ମୋତେ ଏ ପଦାର୍ଥ ବିଜ୍ଞାନର ପ୍ରଥମ ପୁସ୍ତକ ଲେଖିବାକୁ ପ୍ରେରଣା ଯୋଗାଇଛି। ଫୋରମ୍‌ର ସଂପାଦକ ଶିଶୁ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ମଧୁସୂଦନ ମିଶ୍ର ସଂପାଦକୀୟ ପାଠ କରିଥିବାବେଳେ କାର୍ଯ୍ୟକାରୀ ସଭାପତି ଭି-ଫାଉଣ୍ଡେସନ୍‌ର ମୁଖ୍ୟ ବିପ୍ଳବ ଦାସ ମହାପାତ୍ର କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ। ଏହି ବିଜ୍ଞାନ ଉତ୍ସବରେ କେନ୍ଦ୍ରୀୟ ବିଦ୍ୟାଳୟ, ତୋଷଳ ଶିକ୍ଷାନୁଷ୍ଠାନ, ସାଇ ଶିଶୁ ବିଦ୍ୟାମନ୍ଦିର, ସିଦ୍ଧିବିନାୟକ ପବ୍ଲିକ୍ ସ୍କୁଲ୍‌, ଭି-ଫାଉଣ୍ଡେସନ୍‌ର ଛାତ୍ରଛାତ୍ରୀଙ୍କ ସମେତ, ଅଭିଭାବକ ଓ ଶିକ୍ଷକମାନେ ଯୋଗ ଦେଇଥିଲେ। ମୁଖ୍ୟଅତିଥି ଡ. ନନ୍ଦ ପି.ପି.ଟି. ମାଧ୍ୟମରେ ଆଲୋଚନାଚକ୍ରର ବିଷୟବସ୍ତୁ ଉପରେ ଶିକ୍ଷାଭିତ୍ତିକ ଅନୁଭବ ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଛାତ୍ରଛାତ୍ରୀମାନେ ଆଲୋଚନାଚକ୍ରରୁ ସାଉଁଟିଥିବା ଅନୁଭବ ବଖାଣିଥିଲେ। ଉତ୍ସବ ଶେଷରେ ଫୋରମ୍‌ର ସହସଂପାଦକ ବିଜ୍ଞାନ ଲେଖକ ପଦ୍ମଲୋଚନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ