ବନ୍ୟା ବିପନ୍ନଙ୍କୁ ବିଭିନ୍ନ ଦଳ ଓ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅଞ୍ଚଳରେ ଦୁଇ ମାସରେ ସପ୍ତମ ଥର ବନ୍ୟା ଆସି ତଳିଆ ଅଞ୍ଚଳ ଲୋକମାନଙ୍କର ଧନ ଜିବନ ଧାନ ଓ ପନିପରିବା ଫସଲ ନଷ୍ଟ ହେବା ସହ ବହୁ ଅସୁବିଧା ଭୋଗୁଛନ୍ତି। ବନ୍ୟା ଯୋଗୁଁ ବ୍ଲକର ବିଭିନ୍ନ ଅଞ୍ଚଳର ଅନେକ ଗାଁ ପ୍ରଭାବିତ ହୋଇଥିବାବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ଅନେକ ପରିବାରଙ୍କ ଘରେ ପାଣି ପଶିବା ସହ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି। ଫଳରେ ଦୈନନ୍ଦିନ ଜୀବନଯାପନ ସହ ଖାଦ୍ୟ,ପାନୀୟ ଜଳ ଓ ରହିବା ପାଇଁ ଆଶ୍ରୟକୁ ନେଇ ଲୋକେ ସମସ୍ୟାରେ ପଡ଼ିଛନ୍ତି।ଏହି ଦୁଖଦ ସମୟରେ ବିଜେଡି ପକ୍ଷରୁ ପ୍ରଦୀପ ମଲ୍ଲିକ,ଅଜୟ ମଲ୍ଲିକ,ବଜେନ୍ଦ୍ର ମହାନ୍ତି,ଉମେଶ ମହାନ୍ତି,ସନ୍ଦୀପ ସ୍ୱାଇଁ ଓ ଅନ୍ୟ ନେତୃ ମଣ୍ଡଳୀ ବନ୍ୟା ବିପନ୍ନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦେବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।ସେହିପରି ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ରିଲିଫ ବଣ୍ଟନ କରାଯାଉଥିବା ବେଳେ ମଙ୍ଗଳବାର କଂଗ୍ରେସ ଦଳ ତରଫରୁ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଯୁବ ନେତା ତଥା ସମାଜସେବୀ ସଞ୍ଜୟ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ବନ୍ୟା ପ୍ରଭାବିତ ଅଞ୍ଚଳ ହସନବାଦ ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତରେ ଜଳବନ୍ଦୀରେ ଥିବା ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଏଥିରେ ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ନାୟକ,ଧାମନଗର ନଗର କଂଗ୍ରେସ ସଭାପତି ପ୍ରମୋଦ କୁମାର ସ୍ୱାଇଁ,କଂଗ୍ରେସ ନେତା ପ୍ରଭାତ ପଣ୍ଡା, ଚିନ୍ତାମଣି ବାରିକ, ବିକ୍ରମ ମହାପାତ୍ର,ମାନସ ତରାଇ,ସତ୍ୟ ପୁହାଣ,ଏସକେ ଆଜାଦ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।


