ଜନବସତିକୁ ମାଡି ଆସୁଛନ୍ତି ହାତୀ ପଲ: ଚିନ୍ତାରେ ଚାଷୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆମ୍ବ ଗାଁ, ନୂଆଗଡ, ପଳାସପୁର ପ୍ରଭୃତି ଗ୍ରାମ ମାନଙ୍କରେ ଗତ ପ୍ରାୟ ୧ ମାସ ରୁ ଉର୍ଦ୍ଧ୍ବ ହେଲା ହାତୀ ଉପଦ୍ରବ ଯୋଗୁଁ ସନ୍ଧ୍ୟା ହେଲେ ରାସ୍ତାରେ ଚଳପ୍ରଚଳ କରିବାକୁ ଲୋକେ ଭୟଭୀତ ହେବା ସହ ରାତିରେ ତାଟି କବାଟ ପଡିଯାଉଛି। ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ରତନେଇ ଜଙ୍ଗଲ ଅଧିନ ଶୁଳିଆ ପାହାଡ଼ରେ ଦୀର୍ଘବର୍ଷ ଧରି ରହୁଥିବା ୪ ଟିକିଆ ହାତୀ ପଲ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ୱେଷଣ ରେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି।ହାତୀ ପଲ ଗ୍ରାମାଞ୍ଚଳରେ ବ୍ୟାପକ ଧାନ, ମାଣ୍ଡିଆ,ପନିପରିବା ଫସଲ ନଷ୍ଟ କରୁଛନ୍ତି। ବୁଧବାର ରାତି ରେ ହାତୀପଲ ଆମ୍ବ ଗାଁ ସଂଲଗ୍ନ ଘୋଡ଼ାହାଡ଼ ନଦୀ କୁ ପାଣି ପିଇବାକୁ ଆସି ଗ୍ରାମର ଦଣ୍ଡାସି ବେହେରା ଙ୍କ ପ୍ରାୟ ୧୨ ବସ୍ତା ଧାନ ଖାଇଦେବା ସହ ରୁନା ବେହେରା ଙ୍କ ନଡ଼ିଆ ଗଛ ଓ କଦଳୀ ଗଛ ଖାଇ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଦିଗପହଣ୍ଡି ଭାରପ୍ରାପ୍ତ ରେଞ୍ଜର ସନ୍ତୋଷ କୁମାର ବିଷୋୟୀ ରତ୍ନ ଙ୍କୁ ପଚାରିବାରୁ ହାତୀ ଚଳପ୍ରଚଳ ନେଇ ସୂଚନା ମିଳିବା ପରେ ବନବିଭାଗ ପକ୍ଷରୁ ବିଭିନ୍ନ ଗାଁ ମାନଙ୍କରେ ହାତୀ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସକାଳେ କିମ୍ବା ସନ୍ଧ୍ୟାରେ ଜଙ୍ଗଲ ନିକଟକୁ ଯାଆନ୍ତୁ ନାହିଁ ବୋଲି ବନ କର୍ମଚାରୀ ଙ୍କ ପକ୍ଷରୁ ସତର୍କ ସୂଚନା ଘୋଷଣା କରାଯାଉଛି। ପାଟପୁର ସେକ୍ସନ ଫରେଷ୍ଟର ସନ୍ତୋଷ କୁମାର ସାହୁ ଙ୍କୁ ଯୋଗାଯୋଗ କରିବାରୁ ବନ ବିଭାଗ ର ହାତୀ ସ୍କୁଆର୍ଡ, ୮ ତାଲିମ ପ୍ରାପ୍ତ ହାତୀ ଟ୍ରାକର ଙ୍କ ସମେତ ପାଟପୁର ଓ ଦିଗପହଣ୍ଡି ବନ କର୍ମଚାରୀ ମାନଙ୍କ ପକ୍ଷରୁ ଜଙ୍ଗଲ ମଧ୍ୟକୁ ହାତୀ ଘଉଡାଇବା ପାଇଁ ରାତ୍ରୀକାଳୀନ ପାଟ୍ରୋଲିଂ କରାଯାଉଛି। ଗୁରୁବାର ସକାଳେ ସେ ଏବଂ ଫରେଷ୍ଟ ଗାର୍ଡ ସାରଥି କାର୍ଜି, ପାରା ବନ କର୍ମଚାରୀ ସୁଶିଲ କୁମାର ପଣ୍ଡା ଆମ୍ବଗାଁ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ହାତୀ ପଲ ଦିଗପହଣ୍ଡି ବନ ବିଭାଗ ପାଟପୁର ସେକ୍ସନ ରତନେଇ ଜଙ୍ଗଲରେ ଥିବା ଜଣାପଡିଛି। ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ବେଆଇନ ଭାବେ କିଛି ଗ୍ରାମାଞ୍ଚଳ ମାନଙ୍କରେ ବିଦ୍ୟୁତ ତାର ରେ ହୁକିଂ କରାଯାଉଥିବା ରୁ ହାତୀ ଭଳି ବନ୍ୟଜନ୍ତୁ ଙ୍କ ସୁରକ୍ଷା ଦୃଷ୍ଟିରୁ ସେଗୁଡିକୁ ହଟାଇବା ପାଇଁ ବିଦ୍ୟୁତ୍ କର୍ମଚାରୀ ବୃନ୍ଦ ସହଯୋଗ କରୁଛନ୍ତି। ବିଦ୍ୟୁତ ବିଭାଗ ଏବଂ ବନ ବିଭାଗ ପକ୍ଷରୁ ମିଳିତ ଭାବେ ପାଟ୍ରୋଲିଂ କରାଯାଉଛି। ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳ ପ୍ରତି ବନ ବିଭାଗ ସ୍ଵତନ୍ତ୍ର ନଜର ରଖିବା ସହ ପ୍ରତିଦିନ ନିଜେ ମନିଟରିଂ କରୁଥିବା ଫରେଷ୍ଟର କହିଛନ୍ତି। ହାତୀପଲ ଦ୍ଵାରା ଫସଲ କ୍ଷୟକ୍ଷତି ସମ୍ପର୍କରେ ସମ୍ପୃକ୍ତ ଚାଷୀ କୃଷକ ଅନୁକମ୍ପା ଆପ୍ ଜରିଆରେ ଆବେଦନ କଲେ ତଦନ୍ତ କରାଯାଇ ସେମାନଙ୍କୁ ବନ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କ୍ଷତିପୂରଣ ପ୍ରଦାନ କରାଯିବ ଏବଂ ଏଥି ପୂର୍ବରୁ କ୍ଷତିଗସ୍ତ ଚାଷୀ ଙ୍କୁ ବନ ବିଭାଗ ପକ୍ଷରୁ ଅନୁକମ୍ପା ମୂଳକ କ୍ଷତିପୂରଣ ଦିଆଯାଇଥିବା ଫରେଷ୍ଟର ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଡ଼ିସେମ୍ବର ୧୫ ତାରିଖ ରାତିରେ ସାନଖେମୁଣ୍ଡି ବ୍ଲକ ନୂଆଗଡ , ପଳାସପୁର, ଲୁଣିନାଠି, ଇନ୍ଦିରା ଆବାସ କଲୋନୀ ଗ୍ରାମ ସଂଲଗ୍ନ ଚାଷଜମି ମାନଙ୍କରେ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଥିଲେ। ସେହିପରି ଗତ ୨୦୨୫ ଜାନୁଆରୀ ୨ ଓ ୩୦ ତାରିଖରେ ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଦ୍ଵିତୀୟ ଢେପାଗୁଡ଼ା ଓ ଭୀମନଗର ଗ୍ରାମ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୃଥକ ଭାବେ ୨ ଟି ମାଈ ହାତୀ ମୃତ୍ୟୁବରଣ କରିଥିଲେ।


