ସରିଲା ଚାଷୀ ପଞ୍ଜିକରଣ: ୨୦ଟି ସମିତିରେ ୯୨୧୩ ଚାଷୀ ପଞ୍ଜିକୃତ
ଆସିକା (ୱାଇଏନ୍ଏସ୍): ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ଓ କୃଷି କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୨୦୨୬-୨୭ ଖରିଫ ଋତୁରେ ଧାନ ବିକ୍ରୟ କରିବା ଲାଗି ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଶେଷ ହୋଇଯାଇଛି। ଆସିକା ବ୍ଳକ ଅନ୍ତର୍ଗତ ବଡଖୋଲି, ବରଗାଁ, ଧନିଜା, ହରିଡାପଦର, ମଙ୍ଗଳପୁର, ବାଲିସିରା, ଗହଙ୍ଗୁ, କାଳଷଣ୍ଢପୁର, ଘଟକୁରି, ଆସିକା, ମୁନିଗାଡି, ନିମିନା, ଜଗଦଳପୁର, ନୂଆଗାଁ, ପାଣ୍ଡିଆପଥର, ଦେବଭୂମୀ, ଗୁଣ୍ଠପଡା, ବେଣାପାଟ, ନଳବଣ୍ଟା, ରାମେଶ୍ୱର ସେବା ସମବାୟ ସମିତି ପକ୍ଷରୁ ଚାଷୀ ପଞ୍ଜିକରଣ ପ୍ରକିୟା ଶେଷ ହୋଇଥିବା ଜଣାପଡିଛି। ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳରେ ୨୦୨୬-୨୭ ଖରିଫ୍ ଋତୁରେ ସରକାରୀ ମଣ୍ଡି ମାଧ୍ୟମରେ ଧାନ ବିକ୍ରୀ କରିବା ପାଇଁ ଗତ ଅଗଷ୍ଟ ମାସ ୬ ତାରିଖରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଥିଲା ବେଳେ ସମୂଦାୟ ୯୨୧୩ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ସଦର ଶାଖା ଅଧୀନସ୍ଥ ନିମିନାରେ ୬୦୨ ଜଣ, ଗୁଣ୍ଠପଡାରେ ୫୪୮ଜଣ, ହରିଡାପଦରରେ ୪୯୮ଜଣ, ନୁଆଗାଁରେ ୫୦୭ଜଣ, ଧନିଜାରେ ୪୪୭ ଜଣ, ମୁନିଗାଡିରେ ୫୮୫ ଜଣ, ଘଟକୁରୀରେ୨୮୧ଜଣ, ପାଣ୍ଡିଆପଥରରେ ୩୩୯ ଜଣ, ବାଲିସିରାରେ ୬୦୫ ଜଣ, ଦେବଭୁମୀରେ ୬୯୪ ଜଣ, ମଙ୍ଗଳପୁରରେ ୭୨୦ ଜଣ, କାଳଷଣ୍ଢପୁରରେ ୧୭୩ ଜଣ, ଜଗଦଳପୁରରେ ୪୫୦ ଜଣ, ଗହଙ୍ଗୁରେ ୫୭୦ ଜଣ, ବରଗାଁରେ ୪୬୨ଜଣ, ବେଣାପାଟରେ ୩୪୯ ଜଣ, ବଡଖୋଲିରେ ୪୩୨ ଜଣ, ଆସିକାରେ ୨୭୩ଜଣ, ନଳବଣ୍ଟାରେ ୩୫୦ ଜଣ, ରାମେଶ୍ୱରରେ ୩୨୮ ଜଣ ଚାଷୀ ଏହିଭଳି ସମୂଦାୟ ୯୨୧୩ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳର ୨୦ଟି ସେବା ସମବାୟ ସମିତି ପକ୍ଷରୁ ଖରିଫ୍ ଧାନ ବିକ୍ରୀ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ପ୍ରକ୍ରିୟା ଶେଷ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା ନଭେମ୍ବର ମାସ ପହିଲାରୁ ଧାନସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ୨୦୨୭ ମସିହା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ ଅଞ୍ଚଳରେ ଏକ ନିର୍ଭୁଲ ଓ ଯୋଗ୍ୟ ଚାଷୀ ନାମପଞ୍ଜିକରଣ ତାଲିକା ଯେପରି ପ୍ରସ୍ତୁତ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ସମବାୟ ସମିତି ସମୂହ ଆସିକା ସର୍କଲର ସହକାରୀ ନିବନ୍ଧକ ବିଜୟ କୁମାର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଭାଗୀୟ ଉପ-ସହକାରୀ ନିବନ୍ଧକ ନୃସିଂହ ପ୍ରସାଦ ପଣ୍ଡା, କମଳ କୁମାର ଆଚାର୍ଯ୍ୟ, ଶ୍ରୀମତୀ ଜ୍ୟୋତିର୍ମୟୀ ପ୍ରଧାନ, ଶ୍ରୀମତୀ ସୁମନ ବେହେରା, ସୁଶ୍ରୀ ତୁଳସୀରାଣୀ ପଣ୍ଡା, ସୁଶ୍ରୀ ବିନୋଦା ନାହାକଙ୍କ ସମେତ ବିଭାଗୀୟ ଅଧିକାରୀମାନେ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଗତ ୨୦୨୫-୨୬ ଖରିଫ୍ ଋତୁରେ ଆସିକା ବ୍ଳକ ଓ ପୌର ପରିଷଦ ଅନ୍ତର୍ଭୁକ୍ତ ଅଞ୍ଚଳରେ ୮୩୬୬ ଜଣ ଚାଷୀ ଧାନବିକ୍ରୀ କରିବା ପାଇଁ ସେମାନଙ୍କ ନାମ ପଞ୍ଜିକରଣ କରିଥିଲା ବେଳେ ଚଳିତ ୨୦୨୫-୨୬ ଖରିଫ୍ ଋତୁ ପାଇଁ ସମୂଦାୟ ୯୨୧୩ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ଆସିକା ଅଞ୍ଚଳରେ ଚାଷୀ ପଞ୍ଜିକରଣ ଆରମ୍ଭରୁ କିଛି ଦିନ ଧିମା ଥିଲା ବେଳେ ସେତେବେଳ ଏଗ୍ରିଷ୍ଟାକ୍କୁ ବାଧ୍ୟତାମୂଳକ କରାଯାଇଥିଲା । ଏଗ୍ରିଷ୍ଟାକ୍ କୋହଳ ହେବା ପରେ ଚାଷୀ ପଞ୍ଜିକରଣ ଦ୍ରୁତ ଗତିରେ ବଢିଚାଲିଥିଲା । ଗତବର୍ଷ ତୁଳନାରେ ଚଳିତବର୍ଷ ୮୪୭ ଜଣ ଅଧିକ ଚାଷୀ ମଣ୍ଡି ମାଧ୍ୟମରେ ଧାନ ବିକ୍ରୀ କରିବା ପାଇଁ ନାମ ପଞ୍ଜିକରଣ କରିଥିବା ଜଣାପଡିଛି । ଚାଷୀ ପଞ୍ଜିକରଣରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଚଳିତବର୍ଷ ଏଗ୍ରିଷ୍ଟାକ୍ ପ୍ରମାଣପତ୍ର ବାଧ୍ୟତାମୂଳକ କରିଥିବା ଜଣାପଡିଛି ।


