ଘରୁ ହଷ୍ଟେଲ ଯାଉଥିବା ବେଳେ ଛାତ୍ରୀ ନିଖୋଜ
ହାଟଡିହି,(ଓ୍ବାଇଏନଏସ) : କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ବିରଞ୍ଚିପୁର ଗ୍ରାମର ଜଣେ ୧୯ ବର୍ଷୀୟା ଛାତ୍ରୀ ଘରୁ କଲେଜ ଯାଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି l ଏନେଇ ଛାତ୍ରୀଙ୍କ ପରିବାର ତରଫରୁ ଅଭିଯୋଗ ହେବା ପରେ ପୋଲିସ ମାମଲା ନଂ ୭୦/୨୦୨୬ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି l ଅଭିଯୋଗ ଅନୁସାରେ ଛାତ୍ରୀ ଜଣକ ଆନନ୍ଦପୁର ଉପଖଣ୍ଡର ଏକ ମହିଳା ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ହଷ୍ଟେଲରେ ରୁହନ୍ତି l ହଷ୍ଟେଲରୁ ଘରକୁ ଆସି ଗତ ଅଗଷ୍ଟ ମାସ ୨୮ ରେ ଘରୁ ହଷ୍ଟେଲ ଯାଇଥିଲେ l ଗତ ରବିବାର ପରିବାର ଲୋକ ଝିଅକୁ ଦେଖା କରିବାକୁ ଯାଇଥିଲେ l କିନ୍ତୁ ତାଙ୍କ ଝିଅ ହଷ୍ଟେଲ ଆସିନଥିବା ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା l ଛାତ୍ରୀ ଜଣକ ଯୁକ୍ତ ତିନି ଶେଷ ବର୍ଷର ଅଟନ୍ତି l ଫଳରେ ପରିବାର ଲୋକ ସୋମବାର ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ l


