ବିଦ୍ୟାଳୟ ପରିସରରେ ଲାଗିଲା ନିଆଁ: ୪ ଛାତ୍ର ଗୁରୁତର
ମୁନିଗୁଡା,୫।୧(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ଜିଲା ମୁନିଗୁଡା ଥାନା ତଥା ବିଷମକଟକ ବ୍ଲକରୁ ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାଇକ ଡାକୁଲୁଗୁଡା ସ୍ଥିତ ପ୍ରାଇମେରୀ ବିଦ୍ୟାଳୟରେ ହଠାତ୍ ଅଗ୍ନିକାଣ୍ଡ ଘଟିବାରୁ ୪ ଜଣ ଛାତ୍ର ନିଆଁରେ ପଡ଼ି ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା ସମୟରେ ବିଦ୍ୟାଳୟ ପରିସରରେ ଅନେକ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ହଠାତ୍ ନିଆଁ ଲାଗିବା ସହିତ ସମଗ୍ର ପରିସରରେ ଆତଙ୍କ ଓ ଭୟର ପରିବେଶ ସୃଷ୍ଟି ହୋଇଯାଇଛି। କିଛି ସମୟ ପାଇଁ ବିଦ୍ୟାଳୟରେ ଅସ୍ଥିରତା ଦେଖା ଦେଇଥିଲା। ଘଟଣା ପରେ ଶିକ୍ଷକ ମାନେ ଓ ସ୍ଥାନୀୟ ଲୋକେ ସାହସ ଓ ସତର୍କତା ସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ନିଆଁକୁ ନିୟନ୍ତ୍ରଣ କରି ଆହତ ଛାତ୍ରମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଆହତ ଛାତ୍ରମାନଙ୍କୁ ପ୍ରଥମେ ବିଷମକଟକ ପ୍ରାଥମିକ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଉଚ୍ଚତର ଚିକିତ୍ସା ପାଇଁ ସ୍ଥାନୀୟ କ୍ରୀଷ୍ଟିଆନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଆହତ ଛାତ୍ର ମାନଙ୍କ ମଧ୍ୟରେ ଛାତ୍ର ବିରାଟ ଟାକ୍ରି ବୟସ ୧୨ ସପ୍ତମ ଶ୍ରେଣୀ, ସୁଦାମ ବାଗ ପଞ୍ଚମ ଶ୍ରେଣୀ ବୟସ ୧୦, ନବୀନ ହୁଇକା ସପ୍ତମ ଶ୍ରେଣୀ ବୟସ ୧୨, ରୋହିତ ଖୋରା ବୟସ ୧୨ ସପ୍ତମ ଶ୍ରେଣୀ ବୋଲି ଜଣାପଡିଛି,ଏହି ଘଟଣା ପରେ ବିଦ୍ୟାଳୟ ପରିସରରେ ଭୟ ଓ ଉତ୍ତେଜନାର ପରିବେଶ ଦେଖାଦେଇଛି। ଅଭିଭାବକ ମାନେ ବିଦ୍ୟାଳୟର ଅଗ୍ନି-ନିରାପତ୍ତା ବ୍ୟବସ୍ଥା ଓ ସୁରକ୍ଷା ଅବହେଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ବିଦ୍ୟାଳୟ ଭିତରେ ଛାତ୍ର ମାନେ ପୋଡିଯିବା ଏକ ନିନ୍ଦନିୟ ଘଟଣା ହୋଇଥିବା ବେଳେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି,


